ଭିତରକନିକା ଓ ଜୈବବିବିଧତା ସୁରକ୍ଷା ପାଇଁ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୧/୯: ଶ୍ରୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡା ସଦର ଅଂଚଳରେ ତଥା ଗୋପ, ଦୁହୁରିଆ, ତିନିମୁହାଣୀ ଦେଇ ଗରାପୁରରେ ପଥ ଅତିକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଟ୍ରଷ୍ଟର ୧୫ରୁ ୨୦ଜଣ ସଦସ୍ୟ ବାଘ, ଭାଲୁ, ବିଲୁଆ,ହରିଣ, କୁମ୍ଭୀର, କଇଁଛ,କାଉ ଓ ବଗ ରୂପରେ ବେଶ ହୋଇ ଛକ ମାନଙ୍କରେ ନୀରବତା ସହ ବିଭିନ୍ନ ସଚେତନ ବାର୍ତା ସ୍ଲୋଗାନ ଲେଖା ପ୍ଲାଗକାର୍ଡ ଧରି ଜନସାଧାରଣଙ୍କୁ ଭିତରକନିକାର ଜୈବବିବିଧତା ସୁରକ୍ଷା ପାଇଁ ସଚେତନ କରିବାକୁ ପ୍ରୟାସ କରାଯାଇଥିଲା। ଏହି ଭିନ୍ନଶୈଳୀର କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅନେକ ଜନସାଧାରଣ ପହଂଚି କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝୁଥିଲେ ଓ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଥିଲେ।

ପ୍ରକାଶ ଥାଉକି କିଛିଦିନ ହେବ ଟିଭି ମିଡିଆ, ୱେବ ମିଡିଆ ଓ ପ୍ରିଣ୍ଟ ମିଡ଼ିଆରେ ମଧୁର ଜଳର ଅଭାବ ହେତୁ ଭିତରକନିକା ହେନ୍ତାଳବଣ ଓ ତା ଉପରେ ନିର୍ଭରଶୀଳ ଜୀବଜନ୍ତୁ ଜନବସତିଙ୍କ ପାଇଁ ଘୋର ସଙ୍କଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ମଧୁର ଜଳ ଅଭାବ ହେଲେ ଏହାଦ୍ୱାରା ହେନ୍ତାଳ ବନ ଲୋପ ପାଇଯିବ। ଭିତରକନିକା ହେନ୍ତାଳ ବନ ବିଶ୍ୱ ମାନଚିତ୍ର ରେ କେନ୍ଦ୍ରାପଡାକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି। ତେଣୁ ହେନ୍ତାଳବଣର ସୁରକ୍ଷା ଆମର ଏକ ନୈତିକ ଦାଇତ୍ୱ ମଧ୍ୟ । ମଧୁର ପାଣି ଜନଜୀବନ ପାଇଁ ଯେତିକି ଆବଶ୍ୟକ ଜଙ୍ଗଲ ପରିବେଶ ପାଇଁ ମଧ୍ୟ ସେତିକି ଆବଶ୍ୟକ । ବିଳାସ ବ୍ୟସନ ପାଇଁ ମେଗା ପ୍ରକଳ୍ପ ନାଁରେ ଯେମିତି ଜଙ୍ଗଲକୁ ନଷ୍ଟ କରାଯାଉଛି ସେମିତି ମଧୁର ପାଣିର ବି ଅପବ୍ୟବହାର କରାଯାଉଛି । ଯାହା ପାଇଁ ଏବେ ପରିବେଶର ଅସନ୍ତୁଳିତ ଋତୁ ପରିବର୍ତ୍ତନ ଓ କରୋନା ପରି ମହାମାରୀକୁ ସାମ୍ନା କରିବାକୁ ପଡୁଛି । ତେଣୁ ମେଗାପ୍ରକଳ୍ପ କରିବା ପୂର୍ବରୁ ପ୍ରକୃତି ଓ ଜୈବବିବିଧତା ଉପରେ ବିଶେଷଜ୍ଞମାନଙ୍କ ଦ୍ଵାରା ଅନୁଧ୍ୟାନ କରିବା ନିହାତି ଆବଶ୍ୟକ, ନହେଲେ ବଡ ବଡ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇଦିଆଯାଇ ନ ପାରେ। ଯେପରି ଆମର ପରପିଢି ବିଳାସ ବେଶନର ଦଣ୍ଡ ନ ଭୋଗନ୍ତୁ, ଆମେ ବେଳଥାଉଣୁ ସାବଧାନ ହେବାର ସମୟ ଆସିଛି। ଏହି ପରିପ୍ରେକ୍ଷିରେ ଆଜିର ନିଆରା ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ତଥା ସରକାରଙ୍କୁ ସଚେତନ କରିବା ଟ୍ରଷ୍ଟର ମୁଖ୍ୟ ଉଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଶ୍ରୀ ଦାମନ ମହାନ୍ତି ପରିଚାଳନା କରିଥିଲେ। ଟ୍ରଷ୍ଟର ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପରିଡା, ବରିଷ୍ଠ ସଦସ୍ୟ ଶ୍ରୀ ବରଦାକାନ୍ତ ବରାଳ, ରାକେଶ ପଣ୍ଡା, ବିନୋଦ ପଣ୍ଡା, ନିଗମ ସାହୁ, ବିଭୁପ୍ରସାଦ ସାହୁ,ରାଜେସ ବାରିକ,ସୁପ୍ରଭାତ ମଲ୍ଲୀକ,ବାସୁଦେବ ଦାସ,ରାଜେସ ସ୍ୱାଇଁ, ରାଜେନ୍ଦ୍ର ବେହେରା, ହରିହର ନାୟକ,ହେମନ୍ତ ସାମଲ, ଧର୍ମେନ୍ଦ୍ର ନାୟକ ,ନୃସିଂହ ସାହୁ ଓ କୁନି ସମାସଜସେବୀ ଚିନୂଆ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।