ଯବାନମାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ନୌଶେରା ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥାପିତ ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ନିମନ୍ତେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଜମ୍ମୁରେ ଅବତରଣ କରି ରାଜୌରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଉପରୋକ୍ତ ଜିଲ୍ଲାରେ ଯବାନମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ଦୀପାବଳି ପାଳନ କରୁଛନ୍ତି। ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ରାଜୌରିରେ ଆର୍ମି ଡିଭିଜନ୍‌ର ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଗତକାଲି ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵଣେ ଜମ୍ମୁରେ ପହଞ୍ଚି ସୀମାନ୍ତ ଅଞ୍ଚଳର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିଥିଲେ।

ସୀମାନ୍ତ ଜିଲ୍ଲା ପୁଞ୍ଚ୍‌ ଓ ରାଜୌରିରେ ହଠାତ୍‌ ହିଂସାକାଣ୍ଡ ବୃଦ୍ଧି ପାଇଛି ଏବଂ ଗତ ତିନି ସପ୍ତାହ ମଧ୍ୟରେ ୧୧ଜଣ ସୈନିକ ସହିଦ ହୋଇଛନ୍ତି। ଏହା ବ୍ୟତିରେକେ, ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତଙ୍କ ପାଇଁ ଶୁଭ ଦୀପାବଳି କାମନା କରି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ, ଏଇ ପବିତ୍ର ଉତ୍ସବ ନାଗରିକମାନଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ଆଣିବ।