ବିକାନିର-ଗୌହାଟି ଏକ୍ସପ୍ରେସ୍‌ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ,୧୪/୧: ବିକାନିର-ଗୌହାଟି ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏନେଇ ଆଜି ପୂର୍ବତଟ ସୀମାନ୍ତ ରେଲ୍‌ୱେର ମୁଖ୍ୟ ଜନ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଏଥି ସହିତ ୩୧ ଜଣ ଲୋକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗତକାଲି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ଜଳପାଇଗୁଡ଼ି ଜିଲ୍ଲାରେ ଏହି ଟ୍ରେନ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଟ୍ରେନର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା ।

ଏହି ଦୁର୍ଘଟଣାରେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏନେଇ ଉତ୍ତର ବେଙ୍ଗଲ ପୋଲିସ୍‌ର ମହାନିର୍ଦ୍ଦେଶକ ଡିପି ସିଂହ କିଛି ଯାତ୍ରୀ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଏକ୍ସପ୍ରେସ୍‌ର ଦୁଇ ବଗିରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ।

ତେବେ ଏହି ଦୁର୍ଘଟଣାରେ ଗତକାଲି ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଦୁଃଖ ପ୍ରକାଶ କରିଥିବା ବେଳେ ଅନୁକମ୍ପା ରାଶିର ଘୋଷଣା କରିଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ପ୍ରଦାନ କରାଯିବାକୁ ମନ୍ତ୍ରୀ ଘୋଷଣା କରିଥିଲେ । ଏଥିସହିତ ଗୁରତର ବ୍ୟକ୍ତଙ୍କୁ ୧ ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।