ମୁମ୍ବାଇ,୨୮/୬ : ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଆଜକୁ ଚାରି ମାସରୁ ଉର୍ଦ୍ଧ ଦିନ ହେଲା ଲାଗିରହିଛି । ଏହା ବନ୍ଦ ହେବାର ନାହିଁ କି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚୁନାହିଁ । ଏଭଳି ସ୍ଥିତିରେ ୟୁକ୍ରେନ୍କୁ ଆମେରିକା ନୂଆ ‘ମଧ୍ୟମରୁ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଆକ୍ରମଣ କରାଯାଉଥିବା ଏୟାର ମିସାଇଲ ବ୍ୟବସ୍ଥା’ ଯୋଗାଇବା ପାଇଁ ଯୋଜନା କରୁଛି । ଦୂର ସ୍ଥାନରୁ ରୁଷ ଉପରେ ଆକ୍ରମଣ ଲାଗି ଏହି ବ୍ୟବସ୍ଥା ୟୁକ୍ରେନ ସେନାକୁ ଯଥେଷ୍ଟ ସହାୟକ ହେବ । ଚଳିତ ସପ୍ତାହରେ ଆମେରିକା ଏ ନେଇ ଘୋଷଣା କରିପାରେ ।
ୟୁକ୍ରେନ୍କୁ ଆମେରିକା ଅତିରିକ୍ତ ତୋପ, କାଉଣ୍ଟର ବ୍ୟାଟେରି ରାଡାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଦେବ ବୋଲି ବାଇଡେନ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରୁଷ୍ର ତମାମ ଚେତାବନୀ ସତ୍ତେ୍ୱ ଆମେରିକା ସହାୟତା ଜାରି ରଖିବ ବୋଲି କହିଛି । ତେବେ ଅଧିକ ଦୂରଗାମୀ ମିସାଇଲ୍ ୟୁକ୍ରେନ୍ ଚାହୁଁଥିବା ବେଳେ ଏହା କୌଣସି ପାଶ୍ଚାତ୍ୟ ଦେଶ ଦେଉନାହାନ୍ତି । ଆମେରିକା ବି ଏ ବାବଦରେ ପଛଘୁଞ୍ଚା ଦେଉଛି । ସେପଟେ ଜର୍ମାନୀରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ୟୁକ୍ରେନ୍କୁ ପାରୁପର୍ଯ୍ୟନ୍ତ ସହଯୋଗ ଯୋଗାଇବା ନେଇ ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ଭର୍ଚୁଆଲ୍ ଭାବେ ଯୋଗଦେଇ ଅଧିକ ସାମରିକ ସହାୟତା ଲୋଡ଼ିଥିଲେ । ଏହାବ୍ୟତୀତ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । ଜେଲେନସ୍କିଙ୍କ ସହ ବୈଠକ ପରେ ଜି-୭ ରାଷ୍ଟ୍ର ନେତାମାନଙ୍କ ତରଫରୁ ଏକ ମିଳିତ ବିବୃତି ଜାରି କରାଯାଇଥିଲା । ୟୁକ୍ରେନ୍କୁ ପ୍ରତିରକ୍ଷା ଓ ମାନବୀୟ ସହାୟତା ଯୋଗାଣ ଜାରି ରହିବା ନେଇ ଏଥିରେ ସ୍ପଷ୍ଟ କରାଯାଇଥିଲା । ଏମିତି କି ଆର୍ଥିକ, ସାମରିକ ଓ କୂଟନୈତିକ ସହାୟତା ବି ପ୍ରଦାନ କରାଯିବା ନେଇ ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି ।