ଏସ୍‌ସିବିରେ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୭/୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାରେ ଉନ୍ନତି ପାଇଁ ପଦକ୍ଷେପ ନେବ ସ୍ୱାସ୍ଥ୍ୟ ବିଭାଗ। ଏସ୍‌ସିବିର ବିଭିନ୍ନ ବିଭାଗର ଉନ୍ନତୀକରଣ ସହ ଅଧିକ ସୁବିଧା ଉପଲବ୍ଧ କରାଯିବା ନେଇ ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତିକ୍ରମେ ଏସ୍‌ସିବିରେ ଥିବା ଟ୍ରମା କେୟାର ୟୁନିଟ୍‌କୁ ସୁଦୃଢ଼ କରାଯାଇ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଏହାସହ ୨୪ ଘଣ୍ଟିଆ ଆବଶ୍ୟକ ସେବା ଉପଲବ୍ଧ ହେବ। ଅର୍ଥୋପେଡିକ୍‌, ନ୍ୟୁରୋ ଓ ନ୍ୟୁରୋସର୍ଜରୀ ସେବା ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ଯନ୍ତ୍ରପାତି, ମାନବସମ୍ବଳ ଆଦି ଉପଲବ୍ଧ କରାଯିବ। ଟ୍ରମା କେୟାର ୟୁନିଟ୍‌ର ଆବଶ୍ୟକତା ସମ୍ପର୍କରେ ଡିଏମ୍‌ଇଟି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସନ୍ତା ୭ ଦିନ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।