ଶେଷରେ ସତ୍ୟବିହାର ସ୍ଥିତ ଘରୁ ଧରିପଡିଲେ ଅର୍ଚ୍ଚନାଙ୍କ ସ୍ୱାମୀ 

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ହନିଟ୍ରାପ ମାମଲା ଏବେ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି ।  ଏହାରି ମଧ୍ୟରେ ପୋଲିସ ଜାଲରେ ପଡିଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ୱାମୀ । ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁ ଚାନ୍ଦକୁ ପୋଲିସ ଉଠେଇ ନେଇଥିବା ସୂଚନା ମିଳିଛି । ଅଜ୍ଞାତ ସ୍ଥାନରେ ଜଗବନ୍ଧୁକୁ ପୋଲିସ ଜେରା କରୁଥିବା ଜଣାପଡିଛି। ଅର୍ଚ୍ଚନାଙ୍କ ବ୍ଲାକ ମେଲିଂ ମାମଲାରେ ଜଗବନ୍ଧୁ ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଥିଲା । ବାରମ୍ବାର ନୋଟିସ ସତ୍ତ୍ୱେ ଜଗବନ୍ଧୁ ପୋଲିସ ନିକଟରେ ହାଜର ହେଉନଥିଲେ ।

ଅନ୍ୟପଟେ ହାଇକୋର୍ଟରେରେ ପହଞ୍ଚିଛି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ସମ୍ପତ୍ତିର ଇଡି ତଦନ୍ତ ଏବଂ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି। ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୁଲିସ ଡିଜି , ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ବିଜେପି ଏ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଅର୍ଚ୍ଚନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି। ବହୁ ବଡ଼ବଡ଼ିଆ, ରାଜନୈତିକ ଦଳର ନେତା, ବ୍ୟବସାୟୀ, ଓଲିଉଡ ନିର୍ମାତାଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି । ମାୟାବିନୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି ।