ମିଜୋରାମରେ ସରକାର ଗଢିବ ଏମଏନଏଫ

ମିଜୋରାମ, ୧୨/୧୨ : ମିଜୋରାମରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମଏନଏଫ) ସରକାର ଗଢିବାର କ୍ଷମତା ହାସଲ କରିଛି । ପୂର୍ବରୁ କଂଗ୍ରେସ ମିଜୋରାମର ଶାସନ କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ କଂଗ୍ରେସ ଅଚଳ ହୋଇ ପଡିଛି । ୪୦ ଆସନ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ଏମଏନଏଫ ୨୬ ଟି ଆସନକୁ ନିଜ ଅଧିନରେ କରିଛି । ଅନ୍ୟ ପକ୍ଷରେ କଂଗ୍ରେସ ଏବଂ ଅନ୍ୟ ଦଳଙ୍କୁ ମିଜୋରାମରେ ପରାଜୟର ସାମ୍ନା କରିବାକୁ ପଡିଛି । କଂଗ୍ରେସ କେବଳ ୫ ଟି ଆସନ ନିଜ ଅଧିନରେ କରିଥିବା ବେଳେ ବିଜେପି ଏବଂ ଅନ୍ୟକୁ କେବଳ ୯ଟି ଆସନ ମିଳିଛି । ପୂର୍ବରୁ ମିଜୋରାମରେ କଂଗ୍ରେସର ଲାଲ୍‌ଥନ୍‌ୱାଲ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଚଳିତ ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ସେ ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ହେଁ ଦୁଇଟି ଯାକ ଆସନରୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି ।