ନୂଆଦିଲ୍ଲୀ, ୨୨/୦୫ : ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ଫାଲ୍ଟା ବିଧାନସଭା ଆସନରେ ଗୁରୁବାର ପୁନଃ ଭୋଟଗ୍ରହଣ ହୋଇଛି। ବିଧାନସଭା ଅନ୍ତର୍ଗତ ସମସ୍ତ ୨୫୮ ବୁଥରେ କଡା ସୁରକ୍ଷା ମଧ୍ୟରେ ମତଦାନ ହୋଇଛି। ଶୃଙ୍ଖଳିତ ମତଦାନ ପାଇଁ ୩୫ କମ୍ପାନୀ କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ମତଦାନ ହାର ୮୭.୮୫ ପ୍ରତିଶତ। ତେବେ ଏହି ହାର ବଢିବାର ସମ୍ଭାବନା ରହିଛି। ଗତ ଏପ୍ରିଲ ୨୯ ତାରିଖରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଏହି ଆସନରେ ମତଦାନ ହୋଇଥିଲା। ମାତ୍ର ମତଦାନ ପ୍ରକ୍ରିୟା ସମୟରେ ଇଭିଏମ୍ ଟ୍ୟାମ୍ପରିଂ, ଭୋଟ ଗ୍ରହଣ କେନ୍ଦ୍ରରେ ଲାଗିଥିବା ୱେବ କ୍ୟାମେରାକୁ ଭଙ୍ଗାରୁଜା କରିବା, ଟିଏମସି ପ୍ରାର୍ଥୀ ଭୋଟରଙ୍କୁ ଧମକାଇବା ଭଳି ଅଭିଯୋଗ ପେର ଏଠାରେ ପୁନଃ ମତଦାନ ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ। ପୁନଃ ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗିର ଖାଁ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିଲେ। ବ୍ୟକ୍ତିଗତ କାରଣରୁ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିବା ଘୋଷଣା କରିଥିଲେ। ଏପରି କି ଗୁରୁବାର ସେ ନିଜ ଭୋଟ ଦେଇ ନଥିବା ଜଣାପଡିଛି। ଫାଲଟା ଆସନ ଟିଏମସିର ଏକ ଗଡ ଭାବେ ପରିଚିତ। ପୁନଃ ମତଦାନ ତାରିଖ ଧାର୍ଯ୍ୟ ହେବା ପରଠାରୁ ଏଠାରେ ଟିଏମ୍ସି ପକ୍ଷରୁ କୌଣସି ନିର୍ବାଚନ ସଭା, ୠାଲି ଆୟୋଜିତ ହୋଇନାହିଁ। ଏପରି କି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ କିମ୍ବା ଦଳର ଅନ୍ୟ କୌଣସି ବରିଷ୍ଠ ନେତା ସେଠାକୁ ପ୍ରଚାର କାର୍ଯ୍ୟରେ ଯାଇନଥିଲେ। ମେ’ ୨୪ ତାରିଖରେ ପୁନଃ ମତଦାନର ଫଳ ଘୋଷଣା ହେବ।