ଯାଜପୁର,୨୦/୧: ଯାଜପୁର ଜିଲା ବ୍ୟାସନଗର ସ୍ଥିତ ହୋଟେଲ୍ ଯଯାତି କୋର୍ଟୟାର୍ଡ ପରିସରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍ରେ ଏହାକୁ ଉଦଘାଟନ କରିଥିବାବେଳେ ୧୬ଟି ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି।
ଯାଜପୁର ଜିଲା ପ୍ରଶାସନ ଓ ରାଜ୍ୟ ସରକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀ ଆଜି ଏବଂ ଆସନ୍ତାକାଲି ୨ ଦିନ ଅନୁଷ୍ଠିତ ହେବ। ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ୨୦ଜଣ ଅନ୍ତର୍ଜାତୀୟ କଳାକାର ଭାଗ ନେଇଛନ୍ତି। ଶହେରୁ ଅଧିକ ସ୍ଥାନୀୟ କାରିଗର, ପ୍ରତିନିଧି ଏବଂ ୫୦ ବକ୍ତା ଏଥିରେ ସାମିଲ ହୋଇଛନ୍ତି। ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା ଏହି ସମ୍ମିଳନୀରେ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ସେ ଖୁବ୍ ଖୁସି ଏବଂ ଓଡ଼ିଶାର କଳା ସଂସ୍କୃତି ତାଙ୍କୁ ବେଶ୍ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି। କାରିଗରଙ୍କୁ ସଠିକ ପାରିଶ୍ରମିକ ମିଳୁ। ସଠିକ ପାରିଶ୍ରମିକ ମିଳିଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ଦୀୟା।
ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିର଼ଞ୍ଜନ ଘଡ଼େଇ, ୟୁନେସ୍କୋର ନୂଆଦିଲ୍ଲୀ କ୍ଲଷ୍ଟର କାର୍ଯ୍ୟାଳୟର ସଂସ୍କୃତି କ୍ଷେତ୍ରରେ ମୁଖ୍ୟ ଥିବା ଅଧିକାରୀ, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି।
