ଓଲଟିଲା ତରଭୁଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର,୧୭/୩ : ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟିରେ ଓଲଟିଲା ତରଭୁଜ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କ କହିବା ଅନୁଯାୟୀ, ମହାରାଷ୍ଟ୍ରରୁ ତରଭୂଜ ବୋଝେଇ ହୋଇ କଲିକତା ଯାଉଥିଲା । ହେଲେ ଓଡ଼ିଶାରେ ଡ୍ରାଇଭରମାନଙ୍କର ଆନ୍ଦୋଳନ ଯୋଗୁଁ ଚଳିତ ମାସ ୧୫ ତାରିଖଠାରୁ ଟ୍ରକଟି ବାରକୋଟ ଠାରେ ଠିଆ ହୋଇଥିଲା । ଶୁକ୍ରବାର ଆନ୍ଦୋଳନକାରୀ ଡ୍ରାଇଭରମାନେ ଗାଡି ସବୁ ଛାଡିବା ପରେ ଅପରାହ୍ନ ୪ଟା ସମୟରେ ଟ୍ରକ୍ କେନ୍ଦୁଝର ଦେଇ ଜୁଡିଆ ଘାଟି ଅତିକ୍ରମ କରୁଥିବା ସମୟରେ ହଠାତ ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଲୋଡ୍ ହୋଇଥିବା ତରଭୂଜ ସବୁ ରାସ୍ତା ଉପରେ ପଡିଯାଇଥିଲା ଫଳରେ ରାଜପଥର ଗୋଟିଏ ପଟରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଚିକିତ୍ସା କରାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତା ଉପରୁ ଉଠାଇବାର ବ୍ୟବସ୍ଥା କରୁଛି ।