ଭୁବନେଶ୍ବର ୨୯/୦୩ : ବୁଧବାର ଦିନ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ବ୍ୟାପକ କରିବାରେ ଅଗ୍ରସର ହେଉଥିବା କ୍ରୀଡ଼ା ଯୁବସେବା ବିଭାଗ ଆଉ ଏକ ଫର୍ଦ ଯୋଡ଼ିବାକୁ ଯାଉଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ବିଶିଷ୍ଟ ‘ଟେନିସ୍ ସେଣ୍ଟର୍’କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲ କ୍ରିଷ୍ଣା ଏବଂ ଓଟିଏ ସଭାପତି ଅସିତ୍ ତ୍ରିପାଠୀ ଭିନ୍ନ ଭିନ୍ନ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।
ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାକୁ ଯାଉଥିବାବେଳେ କଳିଙ୍ଗ କଂପ୍ଲେକ୍ସରେ ଟେନିସ୍ ପାଇଁ ନୂଆ ପରିଚୟ ସୃଷ୍ଟି ହେବାକୁ ଯାଉଛି। ସେଣ୍ଟର କୋର୍ଟ ପାଇଁ ୧୫୦୦ ଦର୍ଶକ କ୍ଷମତା ସହିତ ଏହା ପରିସରରେ ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ୍, ମେଡିକାଲ୍ ଓ ଫିଜିଓଥେରାପି ରୁମ୍, ପ୍ଲେୟାର୍ ଚେଞ୍ଜିଂ ରୁମ୍, ମେଡିଆ ସେଣ୍ଟର, ଅମ୍ପାୟାର୍, ପ୍ରଶିକ୍ଷକଙ୍କ ପାଇଁ ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି। ଏଥି ସହିତ ଏପ୍ରିଲ୍ ୪ ତାରିଖରୁ ସେଣ୍ଟର୍ କୋର୍ଟରେ ମଧ୍ୟ ଆଇଟିଏଫ୍ ଏସୀୟ ଜୁନିୟର୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି।
