ଆଧାରକାର୍ଡ ଅପ୍‌ଡେଟ୍‌ ପାଇଁ ପୁରୀରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ପୁରୀ : ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି। ପୁରୀରେ ଏନଇ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଧାର କାର୍ଡ ଅପଡେଟ‌୍ ସମ୍ପର୍କିତ ଏକ ବୈଠକରେ ଆଲୋଚନା କରାଯାଇଛି।

ଶ୍ରୀ ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରାସନ ସାମଗ୍ରୀ ନେବା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଧାରକାର୍ଡ ସହାୟକ ହେଉଛି ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ତେଣୁ ବ୍ୟାପକ ଜାଗରଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ନେଇ ପ୍ରକ୍ରିୟା ଜାରି କରିବାକୁ କହିଛନ୍ତି।

ସମସ୍ତ ସରକାରୀ ଯୋଜନାର ଲାଭ, ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ୱାରା ଶୀଘ୍ର ପ୍ରକ୍ରିୟା କରଣ, ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ସହାୟତା ପାଇଁ ଆଧାର ଅପଡେଟ୍‌ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଅପଡେଟ କରାଯାଇପାରିବ। ଅଫ୍‌ଲାଇନରେ ପୋଷ୍ଟ ଅଫିସ, ବ୍ଲକ, ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଅପଡେଟ୍‌ କରାଯାଉଛି ବୋଲି ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଡିଏସ୍‌ପି ଅସ୍ମିତା ପାରମିତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ଏଲ୍‌ଡିଏମ୍‌ କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଡାକ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଧାର ସଚେତନତା ପୋଷ୍ଟର ଓ ଲିଫ୍‌ଲେଟ୍‌ ଉନ୍ମୋଚନ କରାଯାଇଥିଲା।