ଭୁବନେଶ୍ବର : ଭୁବନେଶ୍ବରରେ ଚିନ୍ତା ବଢ଼ାଇଲାଣି ଜଳବନ୍ଦୀ ସମସ୍ୟା । ଆଗାମୀ ବର୍ଷା ଋତୁରେ ଭୁବନେଶ୍ବର ନାଳ ପାଣିରେ ଉବୁଟୁବୁ ହେବା ନିଛିନ୍ତ ଏଥିରେ ସନ୍ଦେହ ନାହିଁ । ତେବେ ସହରରେ ଜମୁଥିବା ବର୍ଷାଜଳକୁ ଏବର୍ଷ କିପରି ପରିଚାଳନା କରିବ, ସେନେଇ ବିଏମ୍ସିର ବୁଦ୍ଧି ହଜିଛି। ଏକ ସମୀକ୍ଷା ବୈଠକରେ ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏନେଇ ମାନସମନ୍ଥନ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ତିନି ଜୋନାଲ ଡେପୁଟି କମିସନର୍ (ଜେଡ୍ଡିସି) ଓ କର୍ପୋରେଟର୍ମାନଙ୍କଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି। ୱାର୍ଡରେ କେଉଁ ଅଞ୍ଚଳରେ ପାଣି ଜମୁଛି? କେଉଁଠି ଡ୍ରେନ୍ ସମସ୍ୟା ରହିଛି? ଏସବୁ ବାବଦରେ ତଥ୍ୟ କର୍ପୋରେଟରମାନଙ୍କଠାରୁ ତଲବ କରାଯାଇଛି। ଚାଲୁଥିବା ଡ୍ରେନ୍ ମରାମତି ୨ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡ୍ରେନେଜ୍ ବିଭାଗରେ କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କ ଅଭାବ ଥିବାରୁ ଡ୍ରେନ୍ କାମ ତଦାରଖରେ ସମସ୍ୟା ହେଉଥିବା କହି ନୂଆ ଜେଇ ନିଯୁକ୍ତି ଦେବାକୁ ଯୋଜନା ହୋଇଛି।
ବଡ଼ କଥା ହେଉଛି, ବିଏମ୍ସି ଅଞ୍ଚଳରେ ଏନ୍ଏଚ୍ଏଆଇ ଓ ପୂର୍ତ୍ତ ବିଭାଗର ଡ୍ରେନ୍ ରହିଛି। ଜଳବନ୍ଦୀ ସମସ୍ୟା ପାଇଁ ଏହି ଦୁଇ ବିଭାଗର ଡ୍ରେନ୍ ପ୍ରମୁଖ ଦାୟୀ। ଏଣୁ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଉଭୟ ବିଭାଗର ସମନ୍ବୟ ଆବଶ୍ୟକତା ଥିବାରୁ ବିଏମ୍ସି ବାରମ୍ବାର ଚିଠି ଲେଖିଛି। ହେଲେ ଉଭୟ ବିଭାଗରୁ ନିୟମିତ ସହଯୋଗ ମିଳିପାରି ନାହିଁ। ଏଣୁ ଏ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହ ଖୁବ୍ଶୀଘ୍ର କିଭଳି ସମନ୍ବୟ ବୈଠକ ବସିବ, ସେନେଇ ଯୋଜନା ହୋଇଛି।
