କେନ୍ଦ୍ରାପଡା : ଖରାର ପ୍ରକୋପ ବଢ଼ିବା ଯୋଗୁଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀରେ ଧୀରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗାଁ ହରିଜନ ସାହିର ୮୦ ପରିବାର ଏବେ ପିଇବା ପାଣି ସଂଗ୍ରହ କରିବାକୁ ଗରା, ବାଲ୍ତି ଧରି ଖରାରେ ୨ କିଲୋମିଟର ଚାଲୁଛନ୍ତି। ଗାଁରେ ଥିବା ନଳକୂପରୁ ଗଲା ୨ବର୍ଷ ହେଲା ପାଣି ବାହାରିବା ହ୍ରାସ ପାଇ ଚାଲିଥିଲା। ଏଭଳି ସ୍ଥିତିରେ ଡହ ଡହ ଖରାରେ ମହିଳାମାନେ ପାଣି ପାଇଁ ଦୁଇ କିଲୋମିଟର ଚାଲିବାକୁ ବାଧ୍ୟ ହେଉଛନ୍ତି।
ରାଜେନ୍ଦ୍ରନଗର ଗାଁ ହରିଜନ ସାହିରେ ପ୍ରାୟ ୧୫ବର୍ଷ ତଳେ ନଳକୂପ ବସିଥିଲା। ସେଥିରୁ ଭଲ ପାଣି ବାହାରୁଥିଲା। କିନ୍ତୁ କିଛି ବର୍ଷ ହେଲା ସମୁଦ୍ର କୂଳିଆ ରାଜନଗର ଅଂଚଳରେ ପାନୀୟଯୋଗ୍ୟ ଭଲ ପାଣିର ସ୍ତର କମିବାରେ ଲାଗିଛି। ପୂର୍ବରୁ ଯେଉଁଠି ୪୦୦/୫୦୦ ଫୁଟ୍ ତଳେ ଭଲ ପାଣି ମିଳୁଥିଲା ଏବେ ସେଠାରେ ୭୦୦ଫୁଟ ତଳେ ଭଲ ପାଣି ମିଳିବା କଷ୍ଟ ହୋଇଗଲାଣି। ରାଜେନ୍ଦ୍ରନଗର ହରିଜନ ସାହିରେ ୮୦ ପରିବାରର ୫ଶହ ଲୋକ ବସବାସ କରୁଛନ୍ତି। ଏହି ଗୋଟିଏ ନଳକୂପ ଉପରେ ସେମାନେ ନିର୍ଭରଶୀଳ ।
ମହିଳାମାନଙ୍କ କହିବା କଥା ହେଲା ଯେ ପାଣି ପାଇଁ ସେମାନେ ବଜାର ଭିତରେ ଥିବା ଗୋଟିଏ କିଲୋମିଟରରୁ ଅଧିକ ଦୂର କାଳୀ ମନ୍ଦିର ନିକଟକୁ ଯାଉଛନ୍ତି। କିନ୍ତୁ ଏବେ ଖରାରେ ପାଣି ଗରାଏ ଆଣି ଘରେ ପହଞ୍ଚିବା ବେଳକୁ କାଠିକର ପାଠ ହୋଇଯାଉଛି। ଏହି ପ୍ରସଙ୍ଗରେ ସେମାନେ ସ୍ଥାନୀୟ ବିଧାୟକଙ୍କୁ ଭେଟି ଜଣାଇଛନ୍ତି। ଖୁବ୍ଶୀଘ୍ର ନଳକୂପ ବସିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଖରାଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବାରୁ ଖୁବ୍ଶୀଘ୍ର ନଳକୂପ ବସାଇବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।