କମଲନାଥଙ୍କ କ୍ୟାବିନେଟରେ ୟୁଥ୍ ବ୍ରିଗେଡ଼, ଦିଗବିଜୟଙ୍କ ପୁତ୍ର ମଧ୍ୟ ମନ୍ତ୍ରୀ

ଭୋପାଳ,୨୫/୧୨: ମଧ୍ୟ ପ୍ରଦେଶରେ ବିଜୟ ପରେ କଂଗ୍ରେସ ୪୭ ବର୍ଷୀୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିନଥିଲେ ବି କମଲନାଥ ସରକାରରେ ୨୮ ମନ୍ତ୍ରୀଙ୍କ ମଧ୍ୟରେ ଅନେକ ଯୁବ ବିଧାୟକ ସାମିଲ ହୋଇଛନ୍ତି। କମଲନାଥ ସରକାରର ୨୮ ମନ୍ତ୍ରୀଙ୍କୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ୨୮ ଚେହେରାଙ୍କ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ସଦସ୍ୟ ଏମିତି ରହିଛନ୍ତି ଯାହାଙ୍କ ବୟସ ୪୦ ରୁ ୫୦ ବର୍ଷ ମଧ୍ୟରେ ହେବ। ଖାସ୍ କଥା ଏହା ଯେ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି।

କମଲନାଥ ସରକାରଙ୍କ ୨୮ ମନ୍ତ୍ରୀଙ୍କ ନାମ ସ୍ଥିର କରିବା ପାର୍ଟି ହାଇକମାଣ୍ଡଙ୍କ ପକ୍ଷେ ସହଜ ନଥିଲା। ମନ୍ତ୍ରୀଙ୍କ ଶପଥଗ୍ରହଣର ପୂର୍ବ ରାତି ପର୍ଯ୍ୟନ୍ତ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ, ମୁଖ୍ୟମନ୍ତ୍ରୀ କମଲନାଥ ଓ ଉପମୁଖ୍ୟମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାବିନେଟର ଗଠନକୁ ନେଇ ବିଚର ବିମର୍ଶ ଜାରି ରହିଥିଲା। ସମସ୍ତେ ନିଜ ନିଜର ସମର୍ଥକ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ଚେଷ୍ଟା ଚଳାଇଥିଲେ। ଗତ ବର୍ଷ ଡିସେମ୍ବରରରେ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ହେବା ପରଠୁ କଂଗ୍ରେସ ଯୁବ ବର୍ଗକୁ ପ୍ରାଥମିକତା ଦେବାକୁ ପ୍ରୟାସ ଆରମ୍ଭ କରିଛି।