ଯୁବତୀକୁ ବିବାହ ପ୍ରସ୍ତାବ ଦେଇ ୫୦ବର୍ଷର ବ୍ୟକ୍ତି ହରଡ଼ଘଣାରେ, ଥାନାରେ ମାମଲା

ନିମାପଡା : ୫୦ ବର୍ଷର ବ୍ୟକ୍ତି ୧୯ ବର୍ଷର ଯୁବତୀକୁ ଏକତରଫା ପ୍ରେମ କରି ପ୍ରେମ ନିବେଦନ କରିବା ସହ ଯୁବତୀଙ୍କ ମୋବାଇଲକୁ ଅଶ୍ଳିଳ ମେସେଜ ପଠାଇବା କୌଣସିଠାରେ ଯୁବତୀଙ୍କ ବିବାହ କରାଇନଦେବା ଓ ଯୁବତୀଙ୍କ ଘର ଆଗରେ ଗୁଣ୍ଡାମାନଙ୍କ ଦ୍ୱାରା ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ନିମାପଡା ଥାନା ଅଧିକାରୀ ଗୁରୁତର ଦଫାରେ ମାମଳା ରୁଜୁ କରିଥିବା ବେଳେ ଅଭିଯୁକ୍ତ ପୋଲିସ ଭୟରେ ଗ୍ରାମରୁ ଫେରାର ଥିବା ଜଣାପଡିଛି । ଏପରି ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଆଳୀ ଥାନା ଜଲ୍ଲାରପୁର ଗ୍ରାମର ଚିତ୍ତରଜଂନ ସ୍ୱାଇଁ (୫୦) ଦେଖତା ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯିବା ଆସିବା କରିବା ସହ ବନ୍ଧୁତା ସ୍ଥାପନ କରି ମହିଳାଙ୍କ ପାଠପଢୁଆ ଝିଅକୁ ଧର୍ମ ଝିଅ ବୋଲି ସମ୍ବୋଧନ କରିବା ସହ ନିଜ ମନ ମଧ୍ୟରେ ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ଝିଅକୁ ଏକ ତରଫା ପ୍ରେମ କରି ଆସିବା ସହ ବିବାହ କରିବା ପାଇଁ କହିବାରୁ ଯୁବତୀ କହିଥିଲେ, ତୁମେ ମୋର ବାପ ବୟସର ଏପରି ଅଭଦ୍ର କଥା କାହିଁକି କହୁଛ ।

ଏହି ଘଟଣାରେ ଚିତ୍ତରଂଜନ ରାଗି ଯାଇ ତୋର ବିବାହ କେଉଁ ଜାଗାରେ କରାଇଦେବି ନାହିଁ କହିବା ସହ ବିଭିନ୍ନ ସମୟରେ ଯୁବତୀଙ୍କ ଫୋନକୁ ଅଶ୍ଳିଳ ମେସେଜ ପଠାଇ ଧମକ ଦେବା ସହ ଯୁବତୀଙ୍କ ଘର ଆଗରେ ରାତି ଅଧରେ କେତେକ ଗୁଣ୍ଡାକୁ ନେଇ ପହଞ୍ଚି ଆତଙ୍କ ସୃଷ୍ଟି କରିବା ହେତୁ ଯୁବତୀ ଓ ତାଙ୍କ ମା’ ଆତଙ୍କିତ ଅବସ୍ଥାରେ ରହିଥିଲେ । ରାସ୍ତାରୁ ଅପହରଣ କରିନେବା ପାଇଁ ଧମକ ପ୍ରଦାନ କରିଛନ୍ତି । ଏ ସଂପର୍କରେ ଯୁବତୀଙ୍କ ମା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଆଇପିସି ଧାରା ୨୯୪/୩୫୪/୩୫୪(ଖ) /୨୯୨(କ)/୫୦୬/ ୫୦୭/୩୪ରେ ମାମଲା ରୁଜୁ କରିଛି ।