ସିଡ୍ନୀ, ୭/୧: ଦୀର୍ଘ ୭୧ ବର୍ଷର ଆଶା ପୂରଣ ହୋଇଛି । ଆଉ ଏହି ଆଶାକୁ ପୂରଣ କରିଛନ୍ତି ବିରାଟ ବାହିନୀ । ୭୧ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ସିରିଜ୍ ଜିତିନଥିବା ବେଳେ ଏହି ଐତିହାସିକ ବିଜୟ ଆଣିଦେଇଛନ୍ତି ବିରାଟ୍ ଆଣ୍ଡ୍ କୋ । ଏହି ଟେଷ୍ଟ୍ ସିରିଜ୍ରେ ଚତୁର୍ଥ ମ୍ୟାଚ୍ ସିଡ୍ନୀରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଥିଲା । ଘରୋଇ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍କୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଥିଲା । ତେବେ ତାହା ହୋଇ ନଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି । ଏହା ସହିତ ୨-୧ରେ ସିରିଜ୍ରେ ଆଗୁଆ ରହିଥିବା ଭାରତୀୟ ଦଳ ସିରିଜ୍ ଜିତି ଯାଇଛି । ସିଡ୍ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍ରେ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା । ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍, ଚେତେଶ୍ୱର ପୂଜାରାଙ୍କ ୧୯୩, ରିଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ୍ ବଳରେ ଭାରତ ଏହି ରନ୍ ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏହା ପରେ ଭାରତ ଫଲୋ-ଅନ୍ ଦେଇଥିଲା ଓ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା । ଦ୍ୱିତୀୟ ଇନିଂସ୍ରେ ଅଷ୍ଟ୍ରେଲିଆ ଗତକାଲି ମାତ୍ର ୬ ରନ୍ କରିବା ପରେ ବର୍ଷା ଯୋଗୁ ମ୍ୟାଚ୍ ଖେଳା ଯାଇ ପାରି ନଥିଲା । ଆଜି ବି ବର୍ଷା ବାଧା ସାଜିଥିଲା । ଶେଷରେ ମ୍ୟାଚ୍କୁ ଡ୍ର’ ଘୋଷଣା କରାଯାଇଥିଲା । ଭାରତ ଏହି ମ୍ୟାଚ୍ ଜିତି ୩-୧ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିଲା । ଏଥିପାଇଁ ଭାରତ ପାଖରେ ସୁଯୋଗ ବି ଥିଲା । ତେବେ ବର୍ଷା ଯୋଗୁ ତାହା ସମ୍ଭବ ହେଲା ନାହିଁ । ଭାରତର ‘ଟେଷ୍ଟ୍ ବିଶେଷଜ୍ଞ’ ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଓ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପ୍ରଦାନ କରାଯାଇଛି । ସେ ଏହି ସିରିଜ୍ରେ ମୋଟ ୭ଟି ଇନିଂସ ଖେଳି ତିନିଟି ଶତକ ଓ ଗୋଟିଏ ଅର୍ଦ୍ଧ-ଶତକ ବଳରେ ୫୨୧ ରନ୍ କରିଥିଲେ । ପ୍ରଥମ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ସେ ୧୨୩ ରନ୍ (୨୪୬ ବଲ୍) କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୭୧ ରନ୍ (୨୦୪ ବଲ୍) କରିଥିଲେ । ତୃତୀୟ ମ୍ୟାଚ୍ରେ ପ୍ରଥମ ଇନିଂସ୍ରେ ସେ ୧୦୬ ରନ୍ (୩୧୯ ବଲ୍) କରିଥିବା ବେଳେ ଚତୁର୍ଥ ମ୍ୟାଚ୍ରେ ପ୍ରଥମ ଇନିଂସ୍ରେ ୧୯୩ ରନ୍ (୩୭୩ ବଲ୍) କରିଥିଲେ ।