ଭୁବନେଶ୍ୱର,୨୨/୧: ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ରାଜ୍ୟରେ ମହିଳା ଓ ଝିଅମାନଙ୍କ ଇଜ୍ଜତ ଓ ସୁରକ୍ଷା ଆଜି ସଙ୍କଟରେ ପଡ଼ିଛି ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ଲାଲ୍ ଚୁଡ଼ି ଭେଟି ଅଭିଯାନ କରିବା ଓଡ଼ିଆ ମହିଳାଙ୍କ ସମ୍ମାନ ଓ ସରକାରଙ୍କୁ ଚେତାବନୀ ଦେବା ପାଇଁ ଏକ ପ୍ରତୀକାତ୍ମକ ପଦକ୍ଷେପ ଥିଲା। ରାଜ୍ୟର ୧୨୭ଟି ନିର୍ବାଚନମଣ୍ଡଳୀରୁ ୯୦ ହଜାର ୯୨୭ ଜଣ ମହିଳାଙ୍କ ଠାରୁ ଲାଲ୍ ଚୁଡି ସଂଗ୍ରହ କରାଯାଇଥିଲା ଏବଂ ଆଗାମୀ ଦିନରେ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ତା’ର ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।
ପିପିଲି ପୀଡ଼ିତା ଓ ତାଙ୍କ ଭଳି ଦୁଷ୍କର୍ମ ଓ ଅମାନବୀୟ ନିର୍ଯାତନାର ଶିକାର ହୋଇଥିବା ସାରା ରାଜ୍ୟର ଶହ ଶହ ମା ଭଉଣୀଙ୍କୁ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚା ମହିଳା ସ୍ୱାର୍ଥ ଓ ସ୍ୱାଭିମାନର ଅଭିଯାନକୁ ବ୍ଲକ ପଞ୍ଚାୟତ ଓ ଗାଁ ପର୍ଯ୍ୟନ୍ତ ନେଇ ମହିଳାଙ୍କ ମାମଲାରେ ଏକ ସମ୍ବେଦନହୀନ ସରକାର ବିରୋଧରେ ଜନମତ ତିଆରି କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।