ନୂଆଦିଲ୍ଲୀ, ୧୪/୦୯ : ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର ମେଣ୍ଟ ଘୋଷଣା କରିଛନ୍ତି। ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ ରଖାଯାଇଛି। ଏହା ଭୋଟରମାନଙ୍କୁ ବିଜେପି ଓ କଂଗ୍ରେସ ବିରୋଧୀ ବିକଳ୍ପ ପ୍ରଦାନ କରିବ। ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଗୋଆର ଲୋକଙ୍କୁ ଦ୍ବିତୀୟ ଥର ପାଇଁ ଧୋକା ଦିଆଯାଇଛି। ତୃତୀୟ ଥର ଏପରି କରିବାକୁ ଦିଆଯିବ ନାହିଁ।ଏହି ଘୋଷଣା କରି ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଗାମୀ ନିର୍ବାଚନରେ କ୍ଷମତାସୀନ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ନାହିଁ। କାରଣ ଗୋଆ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଗୋଆବାସୀଙ୍କ ପ୍ରତି ଏହି ମେଣ୍ଟ ତତ୍ପର ରହିବ ଓ ବିଶ୍ବାସଯୋଗ୍ୟ ଭାବେ କାମ କରିବ। ନିଜ ସାମର୍ଥ୍ୟରେ ଲଢ଼ି ରାଜ୍ୟରେ ‘ଗୋଆ ଫାଷ୍ଟ’ ମେଣ୍ଟ ସରକାର ଗଠନ କରିବ। ମେଣ୍ଟରେ ଦୁଇ ଦଳର ସମାନ ଭାଗ ରହିବ। ଦଳ ବଦଳ ପ୍ରସଙ୍ଗ ଉଠାଇ ଆପ୍ ମୁଖ୍ୟ କହିଛନ୍ତି ଯେ ଦଳର ସାତ ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ଘଟଣା ବଡ଼ ଶିକ୍ଷା ଦେଇଛି। ଭବିଷ୍ୟତରେ ପ୍ରାର୍ଥୀ ମନୋନୟନ କରିବା କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରାଯିବ। କେଜ୍ରିୱାଲ ଏହା କହିବା ସମୟରେ ଜିଏଫପି ଅଧ୍ୟକ୍ଷ ବିଜୟ ସରଦେସାଇ, ଆପ ନେତା ଆତିଶୀ ମାର୍ଲେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସରଦେସାଇ କହିଛନ୍ତି ଯେ ଦଳ ବଦଳକାରୀଙ୍କୁ ନେଇ ଗଠିତ ସରକାର ବିରୋଧରେ ଏହି ମେଣ୍ଟ ଏକ ଉତ୍ତମ ବିକଳ୍ପ ହେବ। ଗୋଆର ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯିବ। ଅନ୍ୟ ଦଳ ପାଇଁ ମଧ୍ୟ ମେଣ୍ଟର ଦ୍ବାର ଖୋଲା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗୋଆର ୪୦ ବିଧାନସଭା ଆସନ ମଧ୍ୟରୁ ଏବେ ଆପ୍ ପାଖରେ ଦୁଇଟି ଓ ଜିଏଫପି ପାଖରେ ଗୋଟିଏ ଆସନ ରହିଛି। ଏହା ପୂର୍ବରୁ ୨୦୨୨ରେ କଂଗ୍ରେସ ସହ ଜିଏଫପି ମେଣ୍ଟ କରିଥିଲା। ମାତ୍ର ଏହାର କୌଣସି ସୁଫଳ ମିଳିପାରି ନ ଥିଲା।