ସର୍ବଦଳୀୟ ବୈଠକ ଶେଷ, ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର, ୨୧/୦୯ : ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଏହି ବୈଠକ ବସିଥିଲା । ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଏବଂ ସୂଚାରୁରୂପେ ପରିଚାଳନା କରିବା ପାଇଁ ବାଚସ୍ପତି ଶାସକ ଓ ବିରୋଧୀ ଦଳର ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସମେତ ବିରୋଧୀ ଦଳର ପ୍ରମୁଖ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୯ଟି କାର୍ଯ୍ୟଦିବସ ରହିବ, ଯେଉଁଥିରୁ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଭାବେ ଧାର୍ଯ୍ୟ କରାଯାଇଛି।