ମମତାଙ୍କୁ କଲିକତା ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି, ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟକୁ କରିପାରିବେ ପରିଚାଳନା

ନୂଆଦିଲ୍ଲୀ, ୨୧/୦୯ : ନିର୍ବାଚନ ଆୟୋଗଙ୍କଠାରୁ ଝଟକା ମିଳିବା ପରେ ମମତା ବାନାର୍ଜୀଙ୍କ କଲିକତା ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୋମବାର ଦିନ କଲିକତା ହାଇକୋର୍ଟ ନିଜର ପୂର୍ବ ଆଦେଶକୁ କାଏମ ରଖିଛନ୍ତି । ଦଳ ନାମ ଏବଂ ଚିହ୍ନ ବଦଳିଥିଲେ ମଧ୍ୟ ମମତା ତାଙ୍କ ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ରାଜ୍ୟ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ରାଜଦୀପ ମଜୁମଦାର ଯୁକ୍ତି ବାଢ଼ିଥିଲେ ଯେ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ମାମଲାଟି ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମରେ ଦାୟର କରାଯାଇଥିଲା । କିନ୍ତୁ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ କୌଣସି ଦଳକୁ ନାମ କିମ୍ବା ଯୋଡ଼ା ଫୁଲ ଚିହ୍ନ ବ୍ୟବହାର କରିବାକୁ ଅନୁମତି ନାହିଁ। ତେଣୁ, ଏହି ମାମଲାର ଗ୍ରହଣୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହାଇକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ରାୟ ପ୍ରଦାନ କରିନାହାନ୍ତି । କେବଳ ଉପ-ନିର୍ବାଚନ ପାଇଁ ନାମ ଓ ଚିହ୍ନ ସମ୍ବନ୍ଧରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ପୂର୍ବ ଆଦେଶରେ କୋର୍ଟ କୌଣସି ପରିବର୍ତ୍ତନ କରିବେ ନାହିଁ।

ଅବୈଧ କାରବାର ଅଭିଯୋଗରେ ପୋଲିସ୍ ଏକ ଘରୋଇ ବ୍ୟାଙ୍କରେ ଥିବା ତୃଣମୂଳର ତିନୋଟି ଖାତା ଉପରେ ସ୍ଥଗିତାଦେଶ ବା ଫ୍ରିଜ୍ କରିଦେଇଥିଲା। ଜୁଲାଇ ୯ ତାରିଖରେ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ଖାତାଗୁଡ଼ିକର ପରିଚାଳନା ଉପରେ ନଜର ରଖିବା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଥିଲେ। ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ମମତା ଓ ତାଙ୍କ ଦଳ ଖାତାଗୁଡ଼ିକକୁ ପରିଚାଳନା କରିପାରିବେ ମାତ୍ର ମନଇଚ୍ଛା ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ। ଦୈନନ୍ଦିନ ପରିଚାଳନା ଖର୍ଚ୍ଚ ଏବଂ କର୍ମଚାରୀଙ୍କ ଦରମା ଭଳି ଖର୍ଚ୍ଚଗୁଡ଼ିକ ସ୍ୱତନ୍ତ୍ର ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବାର ବ୍ୟବସ୍ଥା ଥିଲା। ଏହି ନିର୍ଦ୍ଦେଶ ଆସନ୍ତା ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ ।