ନୂଆଦିଲ୍ଲୀ,୭/୧: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ ତାରିଖ ଘୋଷଣା କରିଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସମାଲୋଚନା କରିଛନ୍ତି। ହରିୟାଣାର ପାନିପଥରେ ‘ଭାରତ ଯୋଡ଼ୋ ଯାତ୍ରା’ ପହଞ୍ଚିବା ଅବସରରେ ଆୟୋଜିତ ରାଲିରେ ରାହୁଲ୍ ଗାନ୍ଧୀଙ୍କ ସହିତ ଉଦ୍ବୋଧନ ଦେଇ ଖଡ଼ଗେ କହିଲେ, ଦେଶର ନିରାପତ୍ତାକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ଅମିତ ଶାହ ମନ୍ଦିର ପ୍ରସଙ୍ଗରେ କହୁଛନ୍ତି।
ସେ କହିଲେ, ତ୍ରିପୁରାରେ ନିର୍ବାଚନ ଅଛି। ସେଠାକୁ ଯାଇ ଅମିତ ଶାହ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଚାଲିଛି। ୨୦୨୪ ଜାନୁଆରି ୧ ତାରିଖ ଦିନ ତାହାକୁ ଉଦ୍ଘାଟନ କରାଯିବ। ଈଶ୍ବରଙ୍କ ଉପରେ ସମସ୍ତଙ୍କର ବିଶ୍ବାସ ଅଛି, କିନ୍ତୁ ନିର୍ବାଚନ ସମୟରେ ଆପଣ କାହିଁକି ଏ କଥା ଘୋଷଣା କରୁଛନ୍ତି?
ସେ ଆହୁରି ମଧ୍ୟ କହିଲେ, ଆପଣ କ’ଣ ରାମ ମନ୍ଦିରର ମହନ୍ତ ? ଏ କଥା ମହନ୍ତ ଓ ସାଧୁସନ୍ଥମାନେ କୁହନ୍ତୁ। ମନ୍ଦିର ଉଦ୍ଘାଟନ ହେବା କଥା କହିବାକୁ ଆପଣ କିଏ ? ଆପଣ ଜଣେ ରାଜନେତା। ଆପଣଙ୍କ କର୍ତ୍ତବ୍ୟ ହେଲା, ଦେଶକୁ ସୁରକ୍ଷିତ ରଖିବା, ଆଇନଶୃଙ୍ଖଳା ବଜାୟ ରଖିବା, ଜନତାଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା, କୃଷକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା।