କେତେଜଣ ସ୍ଥାନୀୟ ଓ ବାହାର ଅଞ୍ଚଳର ଯୁବକ ଆସି ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ଏହାକୁ ରୋକିବା ପୋଲିସ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ସୂଚନା ମୁତାବକ ଏରସମା ଥାନା ପଦ୍ମପୁର ପଞ୍ଚାୟତସ୍ଥିତ ଓଲରା ବଜାରରେ ଗତ ୨୨ ତାରିଖରେ ମାଛ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଆକ୍ରମଣ କରିବା ଓ ୬ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଲୋକଙ୍କୁ ଭୟଭୀତ କରାଇବା ଘଟଣାରେ ରବିବାର ରାତିରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ଓଲରା ଗ୍ରାମର ତୋଫାନ ଖଟୁଆ, ମଠସାହିର ବିଜୟ ଦାସ, ଦାସମଠର ସୁଶାନ୍ତ ମଣ୍ଡଳ ଓ ବାଲିକୁଦା ଥାନା ଅନ୍ତର୍ଗତ ବରଡ଼ିହି ଗ୍ରାମର ତାପସ ସ୍ବାଇଁ। ଏନେଇ ମାମଲା ନଂ. ୯୨/୧୮ ରୁଜୁ ହୋଇଥିବା ବେଳେ ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୋଲିସ ମୁତୟନ କରାଯାଇଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବାଲିକୁଦା ଥାନା ତେରତାଙ୍ଗ ଗ୍ରାମର ସାଗର ମଲ୍ଲିକ ଓ ଅସିଆ ଗ୍ରାମର ଦୀପକ ରାଉତ ଫେରାର ଅଛନ୍ତି।