ନୂଆଦିଲ୍ଲୀ, ୧୪/୧୨ : ସିଡନୀର ବଣ୍ଡି ବିଚ୍ରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ଗମ୍ଭୀର ଘଟଣାର ଜବାବ ଦେବା ନିଶ୍ଚିତ କରିଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ନହେବା ପର୍ଯ୍ୟନ୍ତ ପୁଲିସ ଲୋକଙ୍କୁ ଅଞ୍ଚଳକୁ ଏଡାଇବାକୁ ଏବଂ ଘର ଭିତରେ ରହିବାକୁ ଅନୁରୋଧ କରିଛି। ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ସତର୍କ ସୂଚନା ଜାରି କରି କହିଛି: “ପୁଲିସ ବର୍ତ୍ତମାନ ଏକ ଗମ୍ଭୀର ଘଟଣାର ଛାନଭିନ କରୁଛି। ଦୟାକରି ଉକ୍ତ ଅଞ୍ଚଳରୁ ଦୂରରେ ରୁହନ୍ତୁ ଏବଂ ଜରୁରୀକାଳୀନ ସେବାର ନିର୍ଦ୍ଦେଶ ପାଳନ କରନ୍ତୁ।” ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘଟଣା ସମୟରେ ପ୍ରାୟ ୫୦ଟି ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଭୟରେ ଦୌଡ଼ି ପଳାଇବାକୁ ଲାଗିଲେ। ପୁଲିସ ବର୍ତ୍ତମାନ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ କରୁଛି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।