ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ, ୩୦ ଲକ୍ଷ ଦୀପରେ ଝଲସିବ ରାମନଗରୀ

ନୂଆଦିଲ୍ଲୀ, ୦୭/୧୧ : ଆଲୋକରେ ଝଲସିବ ରାମନଗରୀ ଅଯୋଧ୍ୟା । ଚାରିଆଡ଼େ ଦୀପର ଆଲୋକ, ମନ୍ତ୍ରଧ୍ୱନି ଓ ଭକ୍ତିମୟ ପରିବେଶ। ଭଗବାନ ଶ୍ରୀରାମଙ୍କ ନଗରୀରେ ପାଳିତ ହେବ ଦଶମ ଭବ୍ୟ ଦୀପୋତ୍ସବ । ଏଥିପାଇଁ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା। ସରଯୂ ନଦୀ କୂଳରେ ଏକ ଅଦ୍ଭୁତ ଆଲୋକମୟ ପରିବେଶ ସୃଷ୍ଟି କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଚଳିତ ଦୀପୋତ୍ସବରେ ୩୦ ଲକ୍ଷ ଦୀପ ଜଳାଯିବା ସହ ୨,୧୦୦ ଡ୍ରୋନ୍ ମାଧ୍ୟମରେ ଆକାଶରେ ଜୀବନ୍ତ ହେବ ରାମାୟଣର ବିଭିନ୍ନ ପ୍ରସଙ୍ଗ। ୨,୧୪୭ ଜଣ ପୁରୋହିତ ଏକକାଳୀନ ସରଯୂ ନଦୀ କୂଳରେ ମହାଆରତୀ କରିବେ। ଅନ୍ୟପଟେ ୨,୧୦୦ ଡ୍ରୋନ୍‌ର ଆକର୍ଷଣୀୟ ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଏହି ମହାନ ଉତ୍ସବ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଅନ୍ଧକାର ସହ ଲଢ଼ିବାର ଆବଶ୍ୟକତା ନାହିଁ, କେବଳ ଗୋଟିଏ ଦୀପ ଜାଳିଦେଲେ ଅନ୍ଧକାର ଦୂର ହୋଇଯିବ। ଦୀପୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଆସ୍ଥା, ସ୍ୱାଭିମାନ ଓ ସନାତନ ଚେତନାର ପୁନର୍ଜାଗରଣର ପ୍ରତୀକ ବୋଲି ସେ କହିଛନ୍ତି। ଏଥିସହ ନିଜ ଘର ଓ ଅଗଣାରେ ଦୀପ ଜାଳି ଉତ୍ସବରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ତେବେ ମୁଖ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମରେ କେବଳ ୬ ହଜାର ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାସ୍ ବଣ୍ଟନ କରାଯାଇଛି। ମୁଖ୍ୟ କାର୍ଯ୍ୟକ୍ରମ ଶେଷ ହେବା ପରେ ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ରାମ କି ପୈଡ଼ିରେ ଦୀପୋତ୍ସବ ଦର୍ଶନ କରିପାରିବେ । ଉତ୍ସବର ଅଂଶ ଭାବେ ସକାଳ ୧୦ଟାରେ ସାକେତ କଲେଜରୁ ୨୧ଟି ପ୍ରଜ୍ଞାପନ ମେଢ଼ର ଶୋଭାଯାତ୍ରା ବାହାରିବ। ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଶୋଭାଯାତ୍ରା ରାମପଥ ଦେଇ ରାମକଥା ପାର୍କରେ ପହଞ୍ଚିବ।

କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାହ୍ନ ୨ଟାରେ ଅଯୋଧ୍ୟାରେ ପହଞ୍ଚିବେ। ଏହାପରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ରାମକଥା ପାର୍କରେ ଶୋଭାଯାତ୍ରା ଓ ପ୍ରଦର୍ଶନୀ ଦେଖିବା ସହ ଭଗବାନ ରାମ ଓ ମାତା ସୀତାଙ୍କ ଅବତାରଣ, ଭରତ ମିଳାପ ଏବଂ ଭଗବାନ ରାମଙ୍କ ରାଜ୍ୟାଭିଷେକ ଭଳି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ସନ୍ଥମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ସନ୍ଧ୍ୟା ୫ଟା ୩୫ରୁ ୫ଟା ୫୫ ପର୍ଯ୍ୟନ୍ତ ନୟା ଘାଟରେ ସରଯୂ ଆରତୀ ଅନୁଷ୍ଠିତ ହେବ। ଏହାପରେ ସନ୍ଧ୍ୟା ୬ଟାରୁ ରାମ କି ପୈଡ଼ିରେ ଆରମ୍ଭ ହେବ ମୁଖ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ। ରାତି ୭ଟା ୫୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ଥ୍ରୀ-ଡି ପ୍ରୋଜେକ୍ସନ ମ୍ୟାପିଂ, ଲେଜର ଶୋ ଓ ଡ୍ରୋନ୍ ଶୋ ଦର୍ଶକଙ୍କୁ ଆକର୍ଷିତ କରିବ। ଏହାପରେ ରାତି ୮ଟା ୪୦ରୁ ୯ଟା ୨୫ ପର୍ଯ୍ୟନ୍ତ ଭାରତୀୟ ଓ ଆନ୍ତର୍ଜାତୀୟ ରାମଲୀଳା ପରିବେଷଣ କରାଯିବ। ଏଥିସହ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯିବ । ଏହି ଆଲୋକର ମହାପର୍ବକୁ ଦେଖିବା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଥିବା ବେଳେ ସମଗ୍ର ରାମନଗରୀ ଏବେ ଉତ୍ସବମୁଖର । ଭକ୍ତି, ଆସ୍ଥା ଓ ଆଲୋକର ଅପୂର୍ବ ସମାଗମରେ ଝଲସିବାକୁ ଯାଉଛି ଅଯୋଧ୍ୟା ।