ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଆଶଙ୍କା; ୨୪ ଘଣ୍ଟାରେ ବାତ୍ୟା ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର, ୩୧/୧୦ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେଉଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। IMDର ଆକଳନ ଅନୁସାରେ, ଘୂର୍ଣ୍ଣିବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଅକ୍ଟୋବର ୩୧ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ IMD ପକ୍ଷରୁ ପବନ, ସମୁଦ୍ରର ସ୍ଥିତି ଓ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୫ କିମି ଛୁଇଁପାରେ। ପରେ ପବନର ବେଗ ବୃଦ୍ଧି ପାଇ ୪୦ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ହୋଇପାରେ।

ନଭେମ୍ବର ୧ ଓ ୨ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୪୫ରୁ ୫୫ କିମି ରହିବା ସହ ଝଟକା ପବନ ୬୫ କିମି ଛୁଇଁପାରେ। ସେହିପରି ପଶ୍ଚିମ-ମଧ୍ୟ, ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ନଭେମ୍ବର ୨ରୁ ୩ ତାରିଖ ମଧ୍ୟରେ ପବନର ବେଗ ୫୦ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ହୋଇପାରେ।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ IMD ପରାମର୍ଶ ଦେଇଛି। ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ପରବର୍ତ୍ତୀ ସତର୍କ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି। ତେବେ ଏହି ସମୟରେ ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ, ସେନେଇ ଆଗାମୀ ପାଣିପାଗ ଅପଡେଟ୍ ଉପରେ ନଜର ରହିବ।