ନୀଳଗିରି,୧୦/୨: ନୀଳଗିରି ବନ ବିଭାଗ ଅଧିନ ପୋଡ଼ାଶୂଳ ଗ୍ରାମରେ ପଶିଛି ଭାଲୁ। ଆକ୍ରମଣ ଭୟରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ନୀଳଗିରି ପାହାଡ ଓ ଜଙ୍ଗଲରେ ପ୍ରବଳ ଭାଲୁ ବସବାସ କରନ୍ତି। ସନ୍ଧ୍ୟା ପରେ ଆଖ ପାଖ ଗାଁକୁ ଖାଦ୍ୟ ଅନ୍ୱେଷଣରେ ବାହାରି ଭୋର ପୂର୍ବରୁ ପୁଣି ପାହାଡ଼ ଓ ଜଙ୍ଗଲକୁ ଫେରି ଯାଇଥାଆନ୍ତି। ଦିନ ହେଲେ ଭାଲୁ ଜଙ୍ଗଲକୁ ନଯାଇ ବୁଦା ମୂଳରେ ଲୁଚି ରହିବା ସହ ଲୋକମାନଙ୍କୁ ପାଇଲେ ଆକ୍ରମଣ କରିଥାଏ। କିଛିଦିନ ପୂର୍ବରୁ ଗୋଟିଏ ଭାଲୁ ରକ୍ତମୁଖା ହୋଇ ୫ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।
ନୀଳଗିରି ରେଞ୍ଜର ଭାଲୁଟିର ଗତିବିଧି ଉପରେ କର୍ମଚାରୀଙ୍କୁ ଧରି ନଜର ରଖିଛନ୍ତି। ଲୋକମାନଙ୍କୁ ଭିଡ଼ ନ କରି ଘରକୁ ଯିବା ପାଇଁ ରେଞ୍ଜର ପରାମର୍ଶ ଦେଇଥିବା ବେଳେ ଭାଲୁଟି ନିରୋଳା ସମୟରେ ଆପେ ଆପେ ବାହାରି ଜଙ୍ଗଲକୁ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି।