ସ୍ଥାଣୁ ପାଲଟିଛି କମିଶନରେଟ ପୋଲିସ ବରିଷ୍ଠ ନାଗରିକ ସୁରକ୍ଷା ସେଲ

ଭୁବନେଶ୍ୱର, (ପ୍ରଦୀପ୍ତ କୁମାର ଦାସ) : ସ୍ଥାଣୁ ପାଲଟିଛି କମିଶନରେଟ ପୋଲିସ ସିନିଅର ସିଟିଜେନ ସିକ୍ୟୁରିଟି ସେଲ।ଅଛି ଖାଲି ନାଆଁକୁ ମାତ୍ର କାଗଜ ପତ୍ରରେ।ମାତ୍ର ବାସ୍ତବତା ଠାରୁ ବେଶ୍ ଦୂରେଇ ଯାଇଛି ଏହି ସରକାରୀ ସେବା ବ୍ୟବସ୍ଥା।ହେଲେ ଏଥିପ୍ରତି କାହାର ନିଘା ଥିବା ଭଳି ମନେ ହେଉ ନାହିଁ।ଦ୍ବୈତନଗରୀ (ଭୁବନେଶ୍ୱର ଓ କଟକ) ସହରାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି।ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।ସହରାଞ୍ଚଳ ପୋଲିସ ସେବା ଯୋଗାଣ କ୍ଷେତ୍ରରେ ଏହି ଗୁରୁତ୍ଵପୂର୍ଣ୍ଣ ସେବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଥିଲେହେଁ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହା ଫଳପ୍ରଦ ହୋଇପାରୁନାହିଁ ବୋଲି କୁହାଯାଉଛି।ତେବେ କଦବାକ୍ଵଚିତ କମିଶନରେଟ ପୋଲିସ ପକ୍ଷରୁ ଏକ୍ଷେତ୍ରରେ କିଛିଟା କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେହେଁ ତାହା କେବଳ ଧର୍ମକୁ ଠାର ବୋଲି ଅଭିଯୋଗ ହୋଇଛି।

ସେଥିପାଇଁ ଏହି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ଅଧିକାଂଶ ବରିଷ୍ଠ ନାଗରିକ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ବ୍ୟବସ୍ଥାରେ ପଞ୍ଜିକୃତ ବରିଷ୍ଠ ନାଗରିକମାନଙ୍କୁ ବିଶେଷ ସୁରକ୍ଷା ତଥା ନିରାପତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ,କମିଶନରେଟ ପୋଲିସ ପକ୍ଷରୁ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକର ସମସ୍ତ ଥାନାରେ ‘ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌'(ଏସସିଏସସି ) ଆରମ୍ଭ କରାଯାଇଥିଲା।ତେବେ ଥାନା ସ୍ତରରେ ପ୍ରତ୍ୟେକ ସେଲ୍‌ର ନେତୃତ୍ୱ ଜଣେ ଜଣେ ଏସ.ଆଇ ପାହ୍ୟାର ପୋଲିସ ଅଧିକାରୀ ନେଉଛନ୍ତି,ଯାହାଙ୍କୁ ‘ନୋଡାଲ ଅଫିସର’ଭାବେ ନାମିତ କରାଯାଇଛି। ସେମାନଙ୍କୁ ସହାୟତା କରିବା ପାଇଁ ଅତିକମରେ ଜଣେ କନଷ୍ଟେବଳ ଅଛନ୍ତି, ଯାହାଙ୍କୁ ସହକାରୀ ନୋଡାଲ ଅଫିସର ଭାବେ ମଧ୍ୟ ନାମିତ କରାଯାଇଛି। ଏହି ସେଲ୍‌ଗୁଡ଼ିକ ସମ୍ପୃକ୍ତ ଥାନାର ଆଇ.ଆଇ.ସି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛି ଏବଂ ଭୁବନେଶ୍ୱରସ୍ଥିତ କମିଶନରେଟ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଏସିପିଙ୍କ ଦ୍ୱାରା ଏହାର ସମଗ୍ର କାର୍ଯ୍ୟକାରିତାର ଅନୁଧ୍ୟାନ କରାଯିବାର ବ୍ୟବସ୍ଥା ରହିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଗତ ୨୦୦୯ ରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର ୫ଟି ଥାନାରେ ‘ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌’ ଆରମ୍ଭ କରାଯାଇଥିଲା।ପରବର୍ତ୍ତୀ ସମୟରେ ଭୁବନେଶ୍ୱର ୟୁ.ପି.ଡିରେ ୨୧ଟି ଏବଂ କଟକ ୟୁ.ପି.ଡି.ରେ ଅନ୍ୟ ୧୭ଟି ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌ କାର୍ଯ୍ୟ କରାଗଲା।ସର୍ବମୋଟ ୨୯,୧୯୫ ଜଣ ବରିଷ୍ଠ ନାଗରିକ (୧୯.୦୭.୨୦୨୧ ସୁଦ୍ଧା) ଏହି ସେବା ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିଲେ,ଯେଉଁଥିରୁ ଭୁବନେଶ୍ୱର ୟୁ.ପି.ଡି.ରେ ୧୬,୬୬୨ ଏବଂ କଟକ ୟୁ.ପି.ଡି ରେ ୧୨,୫୩୩ ଜଣ ଅଛନ୍ତି।ବରିଷ୍ଠ ନାଗରିକମାନଙ୍କ ନାମ ପଞ୍ଜୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୦୫.୦୧.୨୦୧୮ରେ ଏକ ୱେବ୍ ଆପ୍ଲିକେସନ୍‌ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା,ଯାହା ମାଧ୍ୟମରେ ପୋଲିସ କମିଶନରେଟ୍ ସହ ଜଡ଼ିତ ହେବାକୁ ଚାହୁଁଥିବା ବରିଷ୍ଠ ନାଗରିକମାନେ ନିଜକୁ ଅନଲାଇନ୍‌ରେ ପଞ୍ଜୀକୃତ କରିବାର ବ୍ୟବସ୍ଥା ରହିଛି।

ବରିଷ୍ଠ ନାଗରିକମାନଙ୍କୁ ଏକ ପରିଚୟ ପତ୍ର ସହ ‘କଣ କରିବେ ଏବଂ କଣ କରିବେ ନାହିଁ’ ପୁସ୍ତିକା, ଡ୍ରାଇଭିଂ ଷ୍ଟିକର ଏବଂ ଭଡ଼ାଟିଆ ଯାଞ୍ଚ ଫର୍ମ ଇତ୍ୟାଦି ପ୍ରଦାନ କରାଯିବାର ଵିଧି ବ୍ୟବସ୍ଥା କରାଯାଇଛି।ତେବେ ​ବିଗତ ବର୍ଷଗୁଡ଼ିକ ମଧ୍ୟରେ ପୋଲିସ କମିଶନରେଟ୍‌ରେ ବରିଷ୍ଠ ନାଗରିକମାନଙ୍କ ପଞ୍ଜୀକରଣ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଏ.ଏସ.ଆଇ, ହାବିଲଦାର / କନଷ୍ଟେବଳମାନଙ୍କୁ ନୋଡାଲ ଅଫିସର ଏବଂ ସହକାରୀ ନୋଡାଲ ଅଫିସର ଭାବେ ମଧ୍ୟ ଇତିମଧ୍ୟରେ ନାମିତ କରି ଏଥିରେ ନିୟୋଜିତ କରାଯାଇଛି ଲ ଯେଉଁମାନଙ୍କ କାର୍ଯ୍ୟ ହେଉଛି ନିଜ ନିଜ ଥାନା ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ସହ ଯୋଗାଯୋଗ ରଖିବା ସାଙ୍ଗକୁ ମତବିନିମୟ ଜରିଆରେ ସେମାନଙ୍କ ଭଲ ମନ୍ଦ ବୁଝିବା ଓ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ଅବଗତ ହେବା ସହ ଆବଶ୍ୟକ ସ୍ଥଳେ ଯଥା ସମ୍ଭବ ସହାୟତା ଯୋଗାଇଦେବା ଇତ୍ୟାଦି। ଜୋନାଲ ଏବଂ ୟୁପିଡି ସ୍ତରରେ ମଧ୍ୟ ବରିଷ୍ଠ ନାଗରିକମାନଙ୍କ ସହ ନିୟମିତ ଭାବେ ଆଲୋଚନା ଓ ମତ ବିନିମୟ କରାଯାଉଛି ବୋଲି କୁହାଯାଉଛି।ମାତ୍ର ଏଥିରେ ବାସ୍ତବତା ନାହିଁ ବୋଲି ଅନେକ ବରିଷ୍ଠ ନାଗରିକ ମତ ପୋଷଣ କରିଛନ୍ତି।ଅନ୍ୟ ପକ୍ଷରେ ଏନେଇ କମିଶନରେଟ ପୋଲିସ ମୁଖ୍ୟାଳୟରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ ବିଶେଷ ଦାୟିତ୍ୱରେ ଥିବା ଏସିପି ତଥା ସହକାରୀ ପୋଲିସ କମିଶନରଙ୍କୁ ପଚାରିବାରେ ସେ ଏକ୍ଷେତ୍ରରେ ଥିବା କର୍ମଚାରୀଙ୍କ ଅଭାବ ରହିଥିଲେ ମଧ୍ୟ ଏହି ବ୍ୟବସ୍ଥାକୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ l