ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍

ୱାଶିଂଟନ୍,୭ /୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ। ବାଇଡେନ୍‌ଙ୍କ ୨୭୩ଟି ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହେବେ ଉପରାଷ୍ଟ୍ରପତି।

ଏହାପରେ ବାଇଡେନ ଟୁଇଟ୍ କରିଛନ୍ତି, ‘ମୁଁ ସମସ୍ତ ଆମେରିକୀୟଙ୍କ ରାଷ୍ଟ୍ରପତି ହେବି । ଆପଣ ମତେ ଭୋଟ୍ ଦେଇଥାଆନ୍ତୁ, କି ନ ଦେଇଥାଆନ୍ତୁ । ଆପଣମାନେ ମୋ ଉପରେ ପ୍ରକଟ କରିଥିବା ଆସ୍ଥାକୁ ମୁଁ ବଜାୟ ରଖିବି।’

ବାଇଡେନ ପୂର୍ବରୁ ବାରାକ୍ ଓବାମାଙ୍କ ସରକାରରେ ଉପରାଷ୍ଟ୍ରପତି ଥିଲେ । ଅନ୍ୟପକ୍ଷରେ ଏହି ନିର୍ବାଚନ ଫଳାଫଳ ସହ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରୁ ବିଦାୟ ନେବା ନିଶ୍ଚିତ ହୋଇଯାଇଛି । ଦୀର୍ଘ ୨୮ ବର୍ଷ ପରେ କୌଣସି ନିର୍ବାଚିତ ରାଷ୍ଟ୍ରପତି ପୁନଃ-ନିର୍ବାଚନ ହାରିଯାଇଛନ୍ତି । ପୂର୍ବରୁ ଜର୍ଜ ବୁଶ୍ (ସିନିୟର) ୧୯୯୨ରେ ପୁନଃ-ନିର୍ବାଚନ ହାରିଯାଇଥିଲେ । ତାଙ୍କୁ ପରାଜିତ କରି ଡେମୋକ୍ରାଟିକ ଦଳର ବିଲ କ୍ଲିଣ୍ଟନ ନିର୍ବାଚନ ଜିତିଥିଲେ । ଟ୍ରମ୍ପଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୧୦ ଜଣ ଆମେରିକୀୟ ରାଷ୍ଟ୍ରପତି ପୁନଃ-ନିର୍ବାଚନ ହାରିଛନ୍ତି ।