ବିହାର ନିର୍ବାଚନ : ଆଜି ଶେଷ ପର୍ଯ୍ୟାୟ, ୭୮ ଆସନ ପାଇଁ ଚାଲିଛି ମତଦାନ

ପାଟନା, ୭/୧୧ : ବିହାରରେ ଆଜି ଶେ‌ଷ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ଶେଷ ପର୍ଯ୍ୟାୟରେ ୭୮ଟି ଆସନରେ ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୩୪ କୋଟି ଭୋଟର । ଆସନ୍ତାକାଲି ମଧ୍ୟ ବାଲ୍ମୀକି ନଗର ଲୋକସଭା ଆସନରେ ଉପନିର୍ବାଚନ ଅଛି। ୧୯ଟି ଜିଲ୍ଲାରେ ଥିବା ସମସ୍ତ ୭୮ଟି ଆସନ ଉତ୍ତର ବିହାରରେ ଅବସ୍ଥିତ। ଶେଷ ପର୍ଯ୍ୟାୟରେ ୫ଟି କୋଭିଡ୍‌ ପ୍ରଭାବିତ ଜିଲ୍ଲାରେ ଭୋଟ୍‌ ଗ୍ରହଣ ଅଛି। କରୋନା ମଧ୍ୟରେ ଭୋଟ୍‌ ଗ୍ରହଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି। ଏଥିରେ ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ଚୌଧୁରୀ ଏବଂ ରାଜ୍ୟ କ୍ୟାବିନେଟର ୧୨ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ତୃତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ବିହାରରେ ଗଂଗା, ଗଣ୍ଡକ ଓ କୋସୀ ପ୍ରବାହିତ ହେଉଛି । ପରିବର୍ତ୍ତନ ଦରକାର । ସୁନ୍ଦର ଭବିଷ୍ୟତ, ବିକାଶ, ବିକଶିତ ବିହାର, ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଭୋଟ ଦିଅନ୍ତୁ । ଶେଷ ପର୍ଯ୍ୟାୟରେ ଲୋକେ ବହୁସଂଖ୍ୟାରେ ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ।

ଅକ୍ଟୋବର ୨୮ ଏବଂ ନଭେମ୍ବର ୩ ତାରିଖରେ ବିହାରରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ଆସନ୍ତା ୧୦ ତାରିଖ‌ରେ ନିର୍ବାଚନ ଫଳାଫଳ ଆସିବ।