ଭୁବନେଶ୍ୱର, ୧୨/୦୫ : ଆସନ୍ତା ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । ରାଜ୍ୟ ମୁଖ୍ୟାଳୟରେ ହେବାକୁ ଥିବା ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ବିଜେପି ସଭାପତି ହେବ ପରେ ଏହା ହେଉଛି ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଦାୟିତ୍ୱ ଗ୍ରହଣ କରିବା ପରେ ନିତିନ ନବୀନ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିତିନ ନବୀନ ଯୋଗ ଦେବେ। ଏହି ଅବସରରେ ସେ ରାଜ୍ୟ ପଦାଧିକାରୀ, ଜିଲ୍ଲା ନେତା ଓ କର୍ମୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ବିଶେଷ କରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ କିପରି ଆହୁରି ମଜବୁତ କରାଯିବ, ସେନେଇ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ମଧ୍ୟ ସଂଗଠନର ପୂର୍ଣ୍ଣ ପୁନର୍ଗଠନ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ବହୁ ସାଙ୍ଗଠନିକ ପଦବୀ ସହିତ ବୋର୍ଡ ଓ ନିଗମର ଅନେକ ଆସନ ଏପର୍ଯ୍ୟନ୍ତ ଖାଲି ପଡ଼ିଛି। କେନ୍ଦ୍ରୀୟ ନେତୃତ୍ୱର ଅନୁମୋଦନ ଅପେକ୍ଷାରେ ଥିବା ଏହି ନିଯୁକ୍ତିଗୁଡ଼ିକ ନେଇ ଦଳ ଭିତରେ ଅନେକ ଆଶା ଓ ଅସନ୍ତୋଷ ମଧ୍ୟ ରହିଛି। ତେଣୁ ନିତିନ ନବୀନଙ୍କ ଏହି ଗସ୍ତ ସମୟରେ କୌଣସି ବଡ଼ ସଙ୍କେତ ମିଳିପାରେ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।