ନୂଆଦିଲ୍ଲୀ, ୨୮/୧୧ : ଆଫ୍ରିକୀୟ ଦେଶ ଗାମ୍ବିଆରୁ ୧୦୪ ପ୍ରବାସୀଙ୍କୁ ନେଇ ସ୍ପେନରେ ଅନୁପ୍ରବେଶ ପାଇଁ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସ୍ପେନର ଏଲ୍ ହିଏରୋ ଦ୍ୱୀପରୁ ୭୨ କିଲୋମିଟର ଦୂରରେ ସମୁଦ୍ର ମଝିରେ ଏହା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ଜୀବିତ ଥିବା ୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଡଙ୍ଗା ୧୦ ଦିନ ପୂର୍ବରୁ ଗାମ୍ବିଆର ରାଜଧାନୀ ବାଞ୍ଜୁଲରୁ ବାହାରିଥିଲା। ଇଞ୍ଜିନ୍ ଫେଲ୍ ହେବା ଯୋଗୁଁ ଏହା ସମୁଦ୍ରରେ କାନାରି ଦ୍ୱୀପପୁଞ୍ଜ ନିକଟରେ ଫସି ରହିଥିଲା। ସ୍ପାନିସ୍ ନ୍ୟୁଜ୍ ଏଜେନ୍ସି ଇଏଫଇ ଏବଂ ସମ୍ବାଦପତ୍ର ଏଲ୍ ପାଇସ୍ ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଡଙ୍ଗାଟି ମିଳିବାର ତିନି ଦିନ ପୂର୍ବରୁ ଏହାର ଇଞ୍ଜିନ୍ ଅକାମୀ ହୋଇଥିଲା। ଉଦ୍ଧାର କାର୍ୟ୍ୟରେ ସ୍ପେନର ସାମୁଦ୍ରିକ ଉଦ୍ଧାର ସେବା ଏବଂ ସିଭିଲ୍ ଗାର୍ଡର ଜାହାଜ ଏବଂ ଏକ ହେଲିକପ୍ଟର ସାମିଲ ହୋଇ ଗୁରୁତର ଅବସ୍ଥାରେ ମିଳିଥିବା ଛଅ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଏଲ୍ ହିଏରୋର ଏକ ହସ୍ପିଟାଲକୁ ଏୟାର ଲିଫ୍ଟ କରିଥିଲେ। ଅନ୍ୟ ଜୀବୀତ ୮୪ ଜଣଙ୍କୁ ସାମୁଦ୍ରିକ ଉଦ୍ଧାର ସେବା ଜାହାଜ ଦ୍ୱାରା ଲା ରେଷ୍ଟିଂଗା ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା।
ଏକ ସିଭିଲ୍ ଗାର୍ଡ ପାଟ୍ରୋଲ୍ ଡଙ୍ଗା ପ୍ରବାସୀ ଦୁର୍ଘଟଣା ଗ୍ରସ୍ତ ଡଙ୍ଗାଟିକୁ ବନ୍ଦରକୁ ଟାଣି ନେଇଥିଲା। କାନାରି ଦ୍ୱୀପପୁଞ୍ଜ ଉତ୍ତର-ପଶ୍ଚିମ ଆଫ୍ରିକାର ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏକ ସ୍ପେନିସ୍ ଅଞ୍ଚଳ। ସେଠାକୁ ଆସୁଥିବା ଲୋକମାନେ ସ୍ପେନ ଏବଂ ୟୁରୋପୀୟ ସଂଘର ଅଞ୍ଚଳରେ ପ୍ରବେଶ କରିଥାନ୍ତି। ଏହା ପଶ୍ଚିମ ଆଫ୍ରିକାରୁ ପ୍ରବାସୀଙ୍କ ପାଇଁ ଦ୍ୱୀପପୁଞ୍ଜକୁ ଏକ ପ୍ରମୁଖ ପ୍ରବେଶ ପଏଣ୍ଟ ପାଲଟିଛି। କାନାରି ଦ୍ୱୀପପୁଞ୍ଜକୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା ସମ୍ପ୍ରତି ଯଥେଷ୍ଟ ବୃଦ୍ଧି ପାଇଛି। ନଭେମ୍ବର ୨୪ ତାରିଖରେ ୨,୧୦୦ ରୁ ଅଧିକ ପ୍ରବାସୀ ଆଟଲାଣ୍ଟିକ୍ ରୁଟ୍ ଦେଇ ଏଲ୍ ହିଏରୋରେ ପହଞ୍ଚିଥିଲେ। ସ୍ପେନିସ୍ ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ୨୮,୧୫୫ ଲୋକ ସମୁଦ୍ର ପଥର ଚୋରା ବାଟ ଦେଇ ସ୍ପେନରେ ପହଞ୍ଚିଥିଲେ। ଗତ ବର୍ଷ ସମାନ ସମୟ ତୁଳନାରେ ଏହା ୪.୩ ପ୍ରତିଶତ ବୃଦ୍ଧି ପାଇଛି।
ଗରିବ ଏବଂ ଯୁଦ୍ଧଗ୍ରସ୍ତ ଆଫ୍ରିକୀୟ ଦେଶରୁ ଲୋକଙ୍କର ୟୁରୋପକୁ ପ୍ରବାସ ନୂଆ ନୁହେଁ। ଅନେକ ଲୋକ ବେଆଇନ ଉପାୟରେ ଏହା କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଡଙ୍ଗା ବୁଡ଼ି ଘଟଣା ଘଟୁଛି।
ଏହି ଦୁଃଖଦ ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ସ୍ପେନର ସାଧାରଣ ନିର୍ବାଚନ ପ୍ରଚାରରେ ପ୍ରବାସ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଡାହାଣପନ୍ଥୀ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ଙ୍କ ସରକାର ଦେଶର ସୀମା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ତାଙ୍କର ଉଦାର ପ୍ରବାସ ନୀତିକୁ ସମାଲୋଚନା କରିଛନ୍ତି। ମୁଖ୍ୟ ବିରୋଧୀ ପପୁଲାର ପାର୍ଟିର ନେତା ଆଲବର୍ଟୋ ନୂନେଜ୍ ଫେଜୋ କହିଛନ୍ତି, ସମୁଦ୍ରରେ ଜୀବନହାନି ଏହି ସରକାରଙ୍କ ଦାୟିତ୍ୱହୀନତାର ସବୁଠାରୁ ଖରାପ ପରିଣାମ। ସ୍ପେନକୁ ତୁରନ୍ତ ଏକ ବ୍ୟବସ୍ଥିତ ପ୍ରବାସ ନୀତିର ଆବଶ୍ୟକତା ଅଛି ଯାହା ଏପରି ଦୁଃଖଦ ଘଟଣାଗୁଡ଼ିକୁ ରୋକିପାରିବ।