ନୂଆଦିଲ୍ଲୀ, ୩୦/୦୭ : ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଭାରତ ଆୟୋଜନ କରୁଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିୟାନ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବାର ସମ୍ଭାବନା ରହିଛି। ପଶ୍ଚିମ ଏସିଆ ବିବାଦକୁ ନେଇ ଇରାନ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ସମୟରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ତିନି ନେତାଙ୍କ ଉପସ୍ଥିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୃଥକ ଦ୍ୱିପାକ୍ଷିକ ବୈଠକ ପାଇଁ ଦ୍ୱାର ଖୋଲିପାରେ। ଯଦି ଜିନ୍ପିଙ୍ଗ୍ ଭାରତ ଆସନ୍ତି, ତେବେ ଏହା ଅକ୍ଟୋବର ୨୦୧୯ ପରେ ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଜିନ୍ପିଙ୍ଗ୍ ୬ ବର୍ଷ ତଳେ ତାମିଲନାଡୁର ମାମଲ୍ଲାପୁରମରେ ମୋଦୀଙ୍କୁ ଭେଟିଥିଲେ। କିନ୍ତୁ ଏହାପରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ଲଦାଖ ସେକ୍ଟରରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ପରେ କିଛି ମାସ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତୀବ୍ର ଭାବରେ ବିଗିଡ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ମୋଦୀ ଓ ଜିନ୍ପିଙ୍ଗ ଅକ୍ଟୋବର ୨୦୨୪ରେ ରୁଷିଆର କାଜାନଠାରେ ପରସ୍ପରକୁ ଭେଟିଥିଲେ ଓ ଏଲ୍ଏସିଠାରେ ଲାଗି ରହିଥିବା ବିବାଦର ସମାଧାନ କରିଥିଲେ। ଗତ ଅଗଷ୍ଟରେ ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ସେମାନଙ୍କର ସାମ୍ପ୍ରତିକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।
ଭାରତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଛି। ଏହି ବୈଠକରେ ଇରାନ ଓ ୟୁଏଇ ମଧ୍ୟରେ ମତଭେଦ ଆଲୋଚନାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ପେଜେସ୍କିୟାନଙ୍କ ଅଂଶଗ୍ରହଣ ତେହେରାନକୁ ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ଭାରତୀୟ ନେତୃତ୍ୱଙ୍କୁ ଅବଗତ କରାଇବା ଓ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସୂତ୍ର ଅନୁଯାୟୀ, ୟୁଏଇ ବ୍ୟତୀତ ସମସ୍ତ ବ୍ରିକ୍ସ ସଦସ୍ୟ ପାଲେଷ୍ଟାଇନ ପ୍ରସଙ୍ଗ ଓ ଦୁଇ-ରାଷ୍ଟ୍ର ସମାଧାନ ଉପରେ ସରକାରୀ ଦଲିଲରେ ବ୍ୟବହୃତ ଭାଷାକୁ ଦୁର୍ବଳ କରିବାକୁ ବିରୋଧ କରିଛନ୍ତି। ପଶ୍ଚିମ ଏସିଆ ସ୍ଥିତିକୁ ନେଇ ବ୍ରିକ୍ସ ଦେଶମାନଙ୍କ ବୈଠକ ପ୍ରଭାବିତ ହୋଇଛି। ମେ ମାସରେ ଅନୁଷ୍ଠିତ ବିଦେଶ ମନ୍ତ୍ରୀଙ୍କ ବୈଠକ ସମେତ ଅନେକ ବୈଠକ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଥିଲା। ବ୍ରିକ୍ସ ନେତାମାନଙ୍କ ବ୍ୟତୀତ ଭାରତ ଅନେକ ଅଣ-ସଦସ୍ୟ ଦେଶର ସରକାର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି। ସେମାନଙ୍କ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଛନ୍ତି, ଯିଏକି ବିମଷ୍ଟେକର ବର୍ତ୍ତମାନର ଅଧ୍ୟକ୍ଷ ଦେଶ ଭାବ ନିମନ୍ତ୍ରିତ ହୋଇଛନ୍ତି।
