ଭୁବନେଶ୍ୱର, ୩୦/୦୭ : ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଚେତାବନୀ ଜାରି କରିଛି ଜଳ ସମ୍ପଦ ବିଭାଗ । ଏହା ଦ୍ୱାରା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଜଳ ସମ୍ପଦ ସର୍ବୋଚ୍ଚ ସୂଚନା ଦେଇଛନ୍ତି ଯେ ଆଜି ମଧ୍ୟାହ୍ନ ସୁଦ୍ଧା ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଆଜି ରାତି ସୁଦ୍ଧା ମୁଣ୍ଡଳୀରେ ସାଢ଼େ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିବ । ତେଣୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବଡ଼ ବନ୍ୟା ଆସୁଛି । ତେଣୁ ଆଜି ରାତି ଓ ଆସନ୍ତାକାଲି ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗାମୀ ୨୪ ଘଣ୍ଟା ଯାଏଁ ସତର୍କ ରହିବାକୁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀରେ ବନ୍ୟା ଯୋଗୁଁ ଶାଖା ନଦୀମାନଙ୍କରେ ବନ୍ୟା ସ୍ଥିତି ଉତ୍ପନ୍ନ ହେବ । ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ, କନ୍ଦଳ, କୁଆଖାଇ, କୁଶଭଦ୍ରା, ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହା ଦ୍ୱାରା ଉପକୂଳବର୍ତ୍ତୀ ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ସହିତ ଖୋର୍ଦ୍ଧା ଜିଲ୍ଲା ବାସିନ୍ଦା ପ୍ରଭାବିତ ହେବେ । କଟକ ଆଠଗଡ଼, ବଡ଼ମ୍ବା ଓ ବାଙ୍କି ବ୍ଲକ ବିଶେଷଭାବେ ପ୍ରଭାବିତ ହୋଇପାରେ । ଜଗତସିଂହପୁରର କୁଜଙ୍ଗ, ବାଲିକୁଦା, ଏରସମା, ଓ ତିର୍ତ୍ତୋଲ ପ୍ରଭାବିତ ହେବ । ସେହିପରି କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ଓ ଆଳି ବ୍ଲକ୍ ମଧ୍ୟ ପ୍ରଭାବିତ ହେବ । ପୁରୀର କଣାସ, ଡେଲାଙ୍ଗ, ନିମାପଡ଼ା, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର ଆଦି ସ୍ଥାନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାମାନଙ୍କର ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବୈତରଣୀ, ଜଳକା, ସାଳନ୍ଦୀ, ବ୍ରାହ୍ମଣୀ ଆଦି ନଦୀରେ ବନ୍ୟା ସ୍ଥିତି ସମାନ ରହିଛି । ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେଉଛି । ବୈତରଣୀରେ ଧିରେ ଧିରେ ଜଳ ସ୍ତର କମିବା ଆରମ୍ଭ କରିଛି । ଦୁଇ ଦିନ ପୂର୍ବରୁ ଆଖୁଆପଦା ନିକଟରେ ଜଳ ସ୍ତର ବିପଦ ସଙ୍କେତର ଗୋଟିଏରୁ ଦେଢ଼ ମିଟର୍ ଉଚ୍ଚତାରେ ଥିଲା । ମାତ୍ର ବର୍ତ୍ତମାନ ତାହା ବିପଦ ସଙ୍କେତରେ ପ୍ରବାହିତ ହେଉଛି । ସାଳନ୍ଦୀରେ ବନ୍ୟା ସ୍ଥିତି ସମାନ ରହିଛି । ଭଦ୍ରକର ରାଜଘାଟ ନିକଟରେ ୧୮.୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଜଳକାରେ ବିପଦ ସଙ୍କେତ ୬.୫ ମିଟର୍ ଥିବାବେଳେ ଜଳ ସ୍ତର ୬.୭୨ ମିଟର୍ ରହିଛି ।
