ବର୍ଷେ ହେଲା ବସ ଷ୍ଟପରେ ଜୀବନ !

0

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ବର୍ଷକୁ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା । ତଥାପି ବହୁ ଗରିବ ସରକାରୀ ଯୋଜନାରୁ ଏବେ ଅବହେଳିତ ଥିବା ଭଳି ସ୍ପଷ୍ଟ ବାରିହୋଇ ପଡୁଛି । ଏହିଭଳି ଏକ ଘଟଣା ରାଉରକେଲାରେ ସମାନାକୁ ଆସିଛି । ଗତବର୍ଷ ନଭେମ୍ବର ମାସରୁ ଜଣେ ଅଜଣା ବୃଦ୍ଧା ସାରନଗରୀ ରଙ୍ଗିଲା ଛକ ନିକଟ ବସ ଷ୍ଟପରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।

ଅଦ୍ୟାବଧି ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀଙ୍କ ନଜର ବୃଦ୍ଧା ଉପରେ ନପଡ଼ି ପାରିବା କାରଣରୁ ଖରା, ବର୍ଷା ଓ ଶୀତ ରାତିରେ ଏହି ବସଷ୍ଟପ ତାଙ୍କର ଆଶ୍ରାସ୍ଥଳ ପାଲଟିଛି । ଅଦ୍ୟାବିଧି ବୃଦ୍ଧାଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କ ବୟସ ୫୫ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ ବୃଦ୍ଧା ଜଣଙ୍କ ତେଲଗୁ ଭାଷାରେ କଥାବାର୍ତା କରୁଛନ୍ତି । ଦିନ ରାତି ବୃଦ୍ଧା ଜଣଙ୍କୁ ସେହି ବସଷ୍ଟପରେ ଦେଖିବାକୁ ମିଳେ । ଅପରପକ୍ଷରେ ବସଷ୍ଟପରେ ବସକୁ ଅପେକ୍ଷା କରିଥିବା ବ୍ୟକ୍ତି ମାନେ କେବଳ ଗୋଟିଏ ନଜର ତାଙ୍କ ଉପରେ ପକାଇ ଦେଇ ନିଜ ନିଜ କାମରେ ବାହାରି ଯାଆନ୍ତି ।

ସେ ରାଉରକେଲାକୁ କେଉଁ ଉଦ୍ୟେଶରେ ଆସିଲେ, ତାହା ସ୍ପଷ୍ଟ ଭାବେ କହି ମଧ୍ୟ ପାରୁ ନାହାନ୍ତି ବୋଲି ଜଣାପଡିଛି । ଦିନରେ ବୃଦ୍ଧା ଜଣଙ୍କୁ କେବେ କେମିତି ଅଇଁଠା ଖାଦ୍ୟ ମିଳେ, ନହେଲେ ସେ ମାସକ ଅର୍ଦ୍ଧାଧିକ କାଳ ଉପାସରେ କାଟିବାକୁ ହୁଏ । ସଂଜ ନଇଁଲେ ପୁର୍ନବାର ଆଶ୍ରୟ ପାଇବା ପାଇଁ ଉକ୍ତ ବସଷ୍ଟପକୁ ସେ ପଳାଇ ଆସିବା ଦେଖିବାକୁ ମିଳେ । ଜରା ଶରୀର ନେଇ ଏହିଭଳି ଅସୁବିଧାରେ କାଳ କାଟୁଛନ୍ତି ଏହି ବୃଦ୍ଧା ।

ପ୍ରବଳ ଥଣ୍ଡାରେ ସାରା ରାତି ଥଣ୍ଡାରେ ବୃଦ୍ଧା ଜଣଙ୍କ ବସଷ୍ଟପରେ ବାସ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ଥିବା କିଛି ସହୃଦୟ ବ୍ୟକ୍ତି ଉକ୍ତ ବୃଦ୍ଧାଙ୍କୁ ଏକ ଚାଦର ପ୍ରଦାନ କରିଥିବା ବେଳେ, ଏହା ମଧ୍ୟ ଶୀତକୁ କାବୁ କରିବାରେ ସକ୍ଷମ ହେଉନାହିଁ । ପ୍ରଶାସନ ତଥା ଦକ୍ଷିଣ ରାଉରକେଲା ଅଂଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଉକ୍ତ ବୃଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.