ଏସିଆର ଏକ ନମ୍ବର ଧନୀ ତାଲିକାରେ ମୁକେଶ : ୨୪କୁ ଖସିଲେ ଗୌତମ ଆଦାନି

ନୂଆଦିଲ୍ଲୀ ୫/୦୪ : ‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ପୁଣି ଥରେ ବିଶ୍ବ ଧନୀ ତାଲିକାରେ ଏସିଆର ଏକ ନମ୍ବର ଧନୀ ମୁକୁଟ ହାସଲ କରିଥିବା ବେଳେ ଭାରତର ଏକ ନମ୍ବର ଓ ବିଶ୍ବର ନବମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ତେବେ ହିଣ୍ଡେନ୍‌ବର୍ଗର ଗମ୍ଭୀର ଅଭିଯୋଗକୁ ସାମ୍ନା କରି ତଳିତଳାନ୍ତ ହୋଇପଡ଼ିଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୨୪ତମକୁ ଖସିଆସିଛନ୍ତି । ମୁକେଶଙ୍କ ପାଖରେ ୮୩୪୦ କୋଟି ଡଲାର ସମ୍ପତ୍ତି ରହିଛି। ଏକଦା ୧୨,୬୦୦ କୋଟି ଡଲାର ସମ୍ପତ୍ତି ସହ ବିଶ୍ବ ଧନୀ ତାଲିକାର ତୃତୀୟ ସ୍ଥାନରେ ଥିବା ଆଦାନି ନିଜର ଅର୍ଧାଧିକ ସମ୍ପତ୍ତି ହରାଇବା ପରେ ଏବେ ତାଙ୍କ ପାଖରେ ୪୭୨୦ କୋଟି ଡଲାର ସମ୍ପତ୍ତି ରହିଛି।

ତୃତୀୟ ସ୍ଥାନରେ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍ ରହିଛନ୍ତି। ଭାରତର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ମୁକେଶ ଏକ ନମ୍ବର, ଆଦାନି ଦ୍ବିତୀୟ ଓ ତାଙ୍କ ପଛକୁ ଏଚ୍‌ସିଏଲ୍‌ର ଶିବ ନାଦାର, ସିରମ ଇନଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାୱାଲା, ଆର୍ସେଲର ମିତ୍ତଲର ଲକ୍ଷ୍ମୀ ଏନ୍ ମିତ୍ତଲ, ଓପି ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ, ସନ୍ ଫାର୍ମାର ଦିଲ୍ଲୀପ ସାଂଘଭି, ଡି-ମାର୍ଟର ରାଧାକୃଷ୍ଣ ଦମାନି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ ବିର୍ଲା ଓ ‌କୋଟାକ୍ ମହିନ୍ଦ୍ରାର ଉଦୟ କୋଟାକ୍ ରହିଛନ୍ତି।