ନୂଆଦିଲ୍ଲୀ, ୨୯/୧୧ : ଡିଲିମିଟେସନ୍ ବିଲ୍, ୩୬୦ ମ୍ୟାଜିକ୍ ନମ୍ବର ଟପିବ କି ଏନ୍ ଡିଏ? ଜେଏମ୍ ଏମ୍ ସମର୍ଥନ ମିଳିଲେ ୩୬୧ ଛୁଇଁପାରେ ସଂଖ୍ୟା । ଡିଲିମିଟେସନ୍ ବିଲ୍ ପାରିତ କରିବା ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ବହୁମତର ନିକଟତର ହେଉଛି କି ବିଜେପି ନେତୃତ୍ୱାଧୀନ ଏନ୍ ଡିଏ? କାଲିଠୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଏବେ ଚର୍ଚ୍ଚାରେ ଲୋକସଭାର ସଂଖ୍ୟା ଗଣିତ । ବିଭିନ୍ନ ଦଳର ସମ୍ଭାବ୍ୟ ସମର୍ଥନକୁ ହିସାବକୁ ନେଲେ ଏନ୍ ଡିଏର ସମର୍ଥନ ସଂଖ୍ୟା ୩୫୮ରେ ପହଞ୍ଚିପାରେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ ଏମ୍ )ର ୩ ସାଂସଦଙ୍କ ସମର୍ଥନ ମିଳିଲେ ଏହି ସଂଖ୍ୟା ୩୬୧ ଛୁଇଁପାରେ । ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ । ତିନୋଟି ଆସନ ଖାଲି ଥିବା ହିସାବରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୪୦ ।
ସମସ୍ତ ୫୪୦ ସାଂସଦ ଭୋଟ୍ ଦେଲେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ୩୬୦ ଜଣଙ୍କ ସମର୍ଥନ ଆବଶ୍ୟକ । ଏଥିସହ ଗୃହର ମୋଟ ସଦସ୍ୟ ସଂଖ୍ୟାର ବହୁମତ ମଧ୍ୟ ଆବଶ୍ୟକ। ଗତ ଏପ୍ରିଲରେ ଅନୁରୂପ ବିଲ୍ ସପକ୍ଷରେ ୨୯୮ଟି ଭୋଟ୍ ପଡ଼ିଥିଲା। ଆବଶ୍ୟକ ଦୁଇ ତୃତୀୟାଂଶ ବହୁମତ ମିଳିନଥିବାରୁ ବିଲ୍ ପାରିତ ହୋଇପାରିନଥିଲା। ଏଥର ସଂଶୋଧିତ ପ୍ରସ୍ତାବ ଜରିଆରେ ଅଧିକ ରାଜନୈତିକ ଦଳର ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଆକଳନ ଅନୁସାରେ ବିଜେପିର ୨୪୧, ଏନ୍ ସିପିଆଇ (ଟିଏମ୍ ସି ବିଦ୍ରୋହୀ ଗୋଷ୍ଠୀ)ର ୨୦, ଟିଡିପିର ୧୬, ଶିବସେନା ସିନ୍ଦେ ଗୋଷ୍ଠୀର ୧୩, ଜେଡିୟୁର ୧୨ ଓ ଅନ୍ୟ ୧୮ ସାଂସଦଙ୍କୁ ମିଶାଇ ଏନ୍ ଡିଏ ସପକ୍ଷରେ ୩୨୦ ଭୋଟ୍ ପଡ଼ିବାର ଆକଳନ କରାଯାଇଛି । ଏହା ବ୍ୟତୀତ ଡିଏମ୍ କେର ୨୨, ଶରଦ ପାୱାରଙ୍କ ଏନ୍ ସିପିର ୮, ୱାଇଏସ୍ ଆର୍ କଂଗ୍ରେସର ୪, ୟୁପିପିଏଲ୍ ର ଜଣେ, ୨ ସ୍ୱାଧୀନ ଓ ଆର୍ ଜେଡିର ୨ ସାଂସଦଙ୍କ ସମ୍ଭାବ୍ୟ ସମର୍ଥନକୁ ନେଇ ମଧ୍ୟ ହିସାବ କରାଯାଉଛି । ତେବେ ଏହି ସମର୍ଥନ ଏଯାଏ ଚୂଡ଼ାନ୍ତ ହୋଇନାହିଁ। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଭିମୁଖ୍ୟ ଉପରେ ନଜର ରହିଛି ।
ଦଳର ୩ ସାଂସଦ ବିଲ୍ କୁ ସମର୍ଥନ କଲେ ଏନ୍ ଡିଏ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ବହୁମତ ହାସଲ କରିବା ସହଜ ହୋଇପାରେ । ତେବେ ଜେଏମ୍ ଏମ୍ ଏପର୍ଯ୍ୟନ୍ତ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିନାହିଁ । ବିଲ୍ ର ପ୍ରାବଧାନ ଏବଂ ଝାଡ଼ଖଣ୍ଡର ସ୍ୱାର୍ଥ ଓ ସଂସଦୀୟ ପ୍ରତିନିଧିତ୍ୱ ଉପରେ ଏହାର ପ୍ରଭାବକୁ ତର୍ଜମା କରିବା ପରେ ଦଳ ନିଷ୍ପତ୍ତି ନେବ । ସମସ୍ତ ରାଜ୍ୟରେ ସମାନ ହାରରେ ପ୍ରାୟ ୫୦ ପ୍ରତିଶତ ଲୋକସଭା ଆସନ ବୃଦ୍ଧି ସହ ଲୋକସଭାର ସାମ୍ବିଧାନିକ ସର୍ବାଧିକ ଆସନ ସୀମାକୁ ୮୫୦ ପର୍ଯ୍ୟନ୍ତ ବଢ଼ାଇବା ନେଇ ପ୍ରସ୍ତାବ ରହିଛି । ୧୯୭୧ ଜନଗଣନା ଆଧାରିତ ରାଜ୍ୟଗୁଡ଼ିକର ଆନୁପାତିକ ଆସନ ବଣ୍ଟନକୁ ୨୦୫୧ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ପରବର୍ତ୍ତୀ ଜନଗଣନା ତଥ୍ୟକୁ ମୁଖ୍ୟତଃ ନିର୍ବାଚନମଣ୍ଡଳୀର ସୀମା ପୁନର୍ନିର୍ଦ୍ଧାରଣ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷିତ ଆସନ ନିର୍ଦ୍ଧାରଣ ପାଇଁ ବ୍ୟବହାର କରିବାର ପ୍ରସ୍ତାବ ରହିଛି। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଏହାର ପ୍ରମୁଖ ଲକ୍ଷ୍ୟ । ସମ୍ଭାବ୍ୟ ସମର୍ଥନକୁ ନେଇ କାଗଜକଲମରେ ଏନ୍ ଡିଏ ଆବଶ୍ୟକ ବହୁମତ ହାସଲ କରିବାର ସ୍ଥିତିରେ ଥିବା ଆକଳନ କରାଯାଉଛି । ତେବେ ଭୋଟିଂ ସମୟରେ ସାଂସଦଙ୍କ ଉପସ୍ଥିତି, ଭୋଟ୍ ଦାନରୁ ବିରତ ରହିବା ଏବଂ ଶେଷ ମୁହୂର୍ତ୍ତରେ ବିଭିନ୍ନ ଦଳର ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ସଂଖ୍ୟା ନିର୍ଭର କରିବ । ଲୋକସଭା ସହ ରାଜ୍ୟସଭାରେ ମଧ୍ୟ ଆବଶ୍ୟକ ସ୍ୱତନ୍ତ୍ର ବହୁମତ ହାସଲ କରିବାକୁ ପଡ଼ିବ ।