ନୂଆଦିଲ୍ଲୀ, ୨୯/୧୧ : ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଶନିବାର ଦିନ ଲସ୍ ଆଞ୍ଜେଲସ୍ରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି । ଲସ୍ ଆଞ୍ଜେଲସ୍ ବିମାନବନ୍ଦର ଭିତରେ ଛାତର ଟାଇଲ୍ଗୁଡ଼ିକ ମଧ୍ୟ ଖସିପଡ଼ିଥିଲା । ସେହିପରି ଏକ ତୈଳ ବିଶୋଧନାଗାରରେ ନିଆଁ ଲାଗିଥିବା ନେଇ ମଧ୍ୟ ଦାବି କରାଯାଉଛି । ଭୂମିକମ୍ପର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଭୂମିକମ୍ପ ପରେ ବିଭିନ୍ନ ସ୍ଥାନରେ ଏକାଧିକ ପରବର୍ତ୍ତୀ ଝଟକା ମଧ୍ୟ ଅନୁଭୂତ ହୋଇଥିଲା । ଉଲ୍ଲେଖନୀୟ କଥା ହେଉଛି, ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇଥିବା ଖବର ମିଳିନାହିଁ । ‘ସିଏନ୍ଏନ୍’ର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ପରେ ମାତ୍ର ୪୫ ମିନିଟ୍ ମଧ୍ୟରେ ଚାରିଥର ଝଟକା ଅନୁଭୂତ ହୋଇଥିଲା । ଝଟକା ଏତେ ତୀବ୍ର ଥିଲା ଯେ, ବଡ଼ ବଡ଼ କୋଠା ମଧ୍ୟ ଥରି ଉଠିଥିଲା ଏବଂ ଦୋକାନଗୁଡ଼ିକରେ ରଖାଯାଇଥିବା ସାମଗ୍ରୀ ତଳେ ପଡ଼ିଯାଇଥିଲା । ଫଳରେ ଭୟଭୀତ ହୋଇ ଲୋକମାନେ ଘର ଓ ଦୋକାନରୁ ବାହାରକୁ ଚାଲିଆସିଥିଲେ । ଭୂମିକମ୍ପ ପରେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ଜରୁରୀକାଳୀନ ଭୂମିକମ୍ପ ପ୍ରତିକ୍ରିୟା ବ୍ୟବସ୍ଥାକୁ ସକ୍ରିୟ କରିଥିଲା । ସହରର ସମସ୍ତ ୧୦୬ଟି ଅଗ୍ନିଶମ କେନ୍ଦ୍ରରୁ କର୍ମଚାରୀମାନଙ୍କୁ କୋଠାବାଡ଼ି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସ୍ଥିତି ଯାଞ୍ଚ କରିବା ପାଇଁ ମୁତୟନ କରାଯାଇଥିଲା । ଲସ୍ ଆଞ୍ଜେଲସ୍ ବିମାନବନ୍ଦରର ଟର୍ମିନାଲ୍-୭ରେ କିଛି କାଚ ଭାଙ୍ଗିଯିବା ସହ ଛାତର କିଛି ପ୍ୟାନେଲ୍ ଖସିପଡ଼ିଥିଲା । ତେବେ ବିମାନବନ୍ଦରରେ ବିମାନ ଚଳାଚଳ ସେବା ପ୍ରଭାବିତ ହୋଇନଥିଲା । ଏଥିସହ ମ୍ୟାନହାଟନ୍ ବିଚ୍ ଏବଂ ହର୍ମୋସା ବିଚ୍ର ସମୁଦ୍ରକୂଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପିୟର୍ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏହି ଭୂକମ୍ପ ଯୋଗୁଁ ସୁନାମିର କୌଣସି ବିପଦ ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଥିଲେ । ଅନ୍ୟପଟେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ପକ୍ଷରୁ ୪.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଆଫ୍ଟରଶକ୍ ହେବାର ୩୦ ପ୍ରତିଶତ ସମ୍ଭାବନା ଥିବା ଆକଳନ କରାଯାଇଥିଲା । ଏହା ପୂର୍ବରୁ ୨୦୧୪ ମସିହାରେ ଲସ୍ ଆଞ୍ଜେଲସ୍ରେ ୫.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଦୃଷ୍ଟିରୁ ଶନିବାର ହୋଇଥିବା ଭୂମିକମ୍ପ ଗତ ୧୨ ବର୍ଷ ମଧ୍ୟରେ ଏହି ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପଗୁଡ଼ିକ ମଧ୍ୟରୁ ଅନ୍ୟତମ ।