ନୂଆଦିଲ୍ଲୀ, ୨୬/୧୨ : କ୍ୟାନସର ପାଇଁ ବୈଜ୍ଞାନିକମାନେ ଆବିଷ୍କାର କଲେ ଚମତ୍କାର ଟେକନିକ୍ । ଯାହା କ୍ୟାନସରକୁ ୯୯% ଶେଷ କରିଦେବାରେ ସକ୍ଷମ ହେବ । କ୍ୟାନସର ଭଳି ମାରାତ୍ମକ ରୋଗକୁ ମାତ୍ ଦେବାକୁ ପ୍ରସ୍ତୁତ ଆମେରିକାର ୩ ବଡ଼ ବଡ଼ ୟୁନିଭର୍ସିଟିର ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍ । ସବୁଠୁ ବଡ଼ କଥା ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟକୁ ଭଲ କରିବାରେ ହେବ ସଫଳ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କର୍କଟ କୋଷଗୁଡ଼ିକୁ ୯୯% ଦୂର କରିବାରେ ବୈଜ୍ଞାନିକମାନେ ଏକ ଚମତ୍କାର ଟେକନିକ୍ ଆବିଷ୍କୃତ ହୋଇଛି । ଆମେରିକାର ରାଇସ୍ ୟୁନିଭରସିଟି, ଟେକ୍ସାସ୍ ଏଣ୍ଡ ଏମ୍ ୟୁନିଭରସିଟି ଏବଂ ଟେକ୍ସାସ୍ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଏକ ଟିମ୍ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି ।ରାଇସ୍ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନୀ ଜେମ୍ସ ଟୁର୍ ଏହାକୁ ଏକ ମଲିକୁଲାର ଜ୍ୟାକହାମର ବୋଲି କହିଥିଲେ, ଯାହା ପୂର୍ବ କର୍କଟ ରୋଗ ନଷ୍ଟ କରୁଥିବା ଅଣୁଠାରୁ ଲକ୍ଷ ଲକ୍ଷ ଗୁଣ ଅଧିକ ଦ୍ରୁତ । ଏହା ହେଉଛି ନୂଆ ପିଢ଼ିର ମଲିକୁଲାର ମେସିନ୍, ଯାହା କର୍କଟ କୋଷକୁ ନଷ୍ଟ କରିପାରେ । ଏଗୁଡ଼ିକ ଇନଫ୍ରାଡ୍ ଆଲୋକ ଦ୍ୱାରା ସକ୍ରିୟ ହୋଇପାରିବ, ଯାହା ଶରୀରର ଗଭୀରକୁ ଯାଇପାରେ ।
ଶରୀରର ଗଭୀରତାରେ ଅର୍ଥାତ୍ ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟକୁ ଭଲ କରିପାରେ । ଅନୁସନ୍ଧାନକାରୀମାନେ ଏହି ଟେକନିକ୍କୁ ଲ୍ୟାବ୍-ବୃଦ୍ଧି କର୍କଟ କୋଷ ଉପରେ ଚେଷ୍ଟା କରିଥିଲେ । ଯାହା ପରେ ଏଥିରେ ୯୯% ସଫଳତା ହାସଲ କରିଥିଲେ । ଏହା ବ୍ୟତୀତ ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିକୁ ମୂଷା ଉପରେ ମଧ୍ୟ ପରୀକ୍ଷା କରିଥିଲେ, ଯେଉଁଥିରେ ଅଧା ମୂଷା ସଂପୂର୍ଣ୍ଣ କର୍କଟମୁକ୍ତ ହୋଇଗଲେ । କର୍କଟ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ମଲିକୁଲାର ସ୍କେଲରେ ଯାନ୍ତ୍ରିକ ଶକ୍ତି ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିବା ରାଇସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସିସେରନ୍ ଆୟାଲା ଓରୋଜକୋ କହିଛନ୍ତି । ଏହି ଟେକ୍ନୋଲୋଜି ଆଗକୁ କର୍କଟ ରୋଗକୁ ସମୂଳେ ନାଶ କରିବ ବୋଲି ବୈଜ୍ଞାନିକଙ୍କ ଆଶା ।