ଭୁବନେଶ୍ୱରରେ ଆରମ୍ଭ ହେଲା ୭ମ ଓଡ଼ିଶା ଟ୍ରାଭେଲ ବଜାର, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିକେଟର କପିଲ ଦେବ

ଭୁବନେଶ୍ୱର, ୦୩/୧୦ : ଭୁବନେଶ୍ୱରରେ ଆରମ୍ଭ ହେଲା ୭ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବାକୁ ଥିବା ଏହି ପର୍ଯ୍ୟଟନ ମହାକୁମ୍ଭର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଲ ଦେବ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ FICCIର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଟ୍ରାଭେଲ ବଜାର ମୁଖ୍ୟତଃ ଏକ B2B ପର୍ଯ୍ୟଟନ ପ୍ଲାଟଫର୍ମ । ଏଥର ବିଦେଶର ୨୭ଟି ଦେଶର ଟୁର୍ ଅପରେଟରଙ୍କ ସହ ଦେଶର ୩୨ଟି ସହରରୁ ଘରୋଇ ବାୟର ଯୋଗଦେଉଛନ୍ତି । ୯୨ରୁ ଅଧିକ ଘରୋଇ ପ୍ରଦର୍ଶକ ମଧ୍ୟ ସାମିଲ ହେଉଛନ୍ତି । ତିନିଦିନ ମଧ୍ୟରେ ୬ ହଜାରରୁ ଅଧିକ ପୂର୍ବନିର୍ଦ୍ଧାରିତ B2B ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଟ୍ରାଭେଲ ବଜାର ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଦେଶ ଓ ବିଦେଶରେ ଆହୁରି ବ୍ୟାପକ ଭାବେ ପହଞ୍ଚାଇବା ଉପରେ ଫୋକସ୍ କରାଯାଇଛି । ରାଜ୍ୟର ଐତିହ୍ୟ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସହ ସମୁଦ୍ରତଟ, ପ୍ରକୃତି ଓ ବନ୍ୟଜନ୍ତୁ, ଆଦିବାସୀ ସଂସ୍କୃତି, ହୋମ୍ ଷ୍ଟେ ଏବଂ ଅନୁଭୂତିଭିତ୍ତିକ ପର୍ଯ୍ୟଟନକୁ ବିଶେଷ ଭାବେ ପ୍ରମୋଟ୍ କରାଯାଉଛି । ଏଥିପାଇଁ ୮ଟି Familiarisation ବା FAM Tourର ମଧ୍ୟ ଯୋଜନା ରହିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ନୁହେଁ, ପର୍ଯ୍ୟଟନରୁ ହେଉଥିବା ଆର୍ଥିକ ଲାଭକୁ ସ୍ଥାନୀୟ ଲୋକ, ଛୋଟ ବ୍ୟବସାୟୀ, ହୋମ୍ ଷ୍ଟେ ଅପରେଟର, ଟୁର୍ ଗାଇଡ୍, ଡ୍ରାଇଭର ଓ ସ୍ଥାନୀୟ କାରିଗରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା । ଏହା ସହ ଓଡ଼ିଶାକୁ ଦେଶ ଓ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ଦେବାକୁ ଲକ୍ଷ୍ୟ ରଖାଯାଇଛି ।