ବେଜିଙ୍ଗ୍: ସଦ୍ୟତମ ମହାକାଶ ଅଭିଯାନରେ ପ୍ରଥମ ଥର ପାଇଁ ଚୀନ୍ ମଙ୍ଗଳ ଗ୍ରହ ପୃଷ୍ଠରେ ଗୋଟାଏ ମହାକାଶଯାନ ଅବତରଣ କରାଇଛି। ‘ଚାଇନା ନ୍ୟାସ୍ନାଲ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ରୁ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ଚିନ୍ହୁଆ ନିଉଜ୍ ଏଜେନ୍ସି’ ଶନିବାର ଦିନ କହିଛି ଯେ, ସଫଳତାର ସହ ସେଠାରେ ‘ଜୁରୋଙ୍ଗ୍’ ନାମକ ଲ୍ୟାଣ୍ଡର୍କୁ ଅବତରଣ କରାଯାଇଛି। ମଙ୍ଗଳ ଗ୍ରହ ପୃଷ୍ଠରେ ‘ଉତୋପିଆ ପ୍ଲେନିସିଆ’ ନାମକ ଥଣ୍ଡା ଅଞ୍ଚଳରୁ ତଥ୍ୟ ସଂଗ୍ରହ ପାଇଁ ବାହାରି ଯିବା ପୂର୍ବରୁ ‘ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍’ ନିମନ୍ତେ ‘ଜୁରୋଙ୍ଗ୍’ ଅଳ୍ପ କିଛି ଦିନ ପାଇଁ ଲ୍ୟାଣ୍ଡର୍ ମଧ୍ୟରେ ଅବସ୍ଥାନ କରିବ। ପରେ ଫେବ୍ରୁଆରି ମାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଥିବା ଗୋଟାଏ ଆମେରିକୀୟ ରୋଭର୍ ସହିତ ‘ଜୁରୋଙ୍ଗ୍’ ଯୋଗ ଦେବ।
ବେଜିଙ୍ଗ୍ ସମୟ ସକାଳ ୭.୧୮ ମିନିଟ୍ରେ ଉପରୋକ୍ତ ମହାକାଶ ଯାନ ମଙ୍ଗଳ ଗ୍ରହ ପୃଷ୍ଠରେ ଅବତରଣ କରିଥିବା କଥା ‘ଷ୍ଟେଟ୍ ଆଡ୍ମିନିଷ୍ଟ୍ରେସନ୍ ଅଫ୍ ସାଇନ୍ସ୍’ ସୂଚନା ଦେଇଛି। ମଙ୍ଗଳ ଗ୍ରହ ପୃଷ୍ଠରେ ମହାକାଶଯାନ ଅବତରଣ କରାଇବା ପ୍ରସଙ୍ଗ ସାମାଜିକ ଗଣମାଧ୍ୟମରେ ଘୋଷଣା କରି ‘ଚିନ୍ହୁଆ’ କହିଛି, ପ୍ରଥମ ଥର ପାଇଁ ଚୀନ୍ ମଙ୍ଗଳ ଗ୍ରହରେ ପଦାଙ୍କ ଥାପିଛି। ଏହା ହେଉଛି ଆମ ଦେଶର ମହାକାଶ ଅନ୍ବେଷଣ ଅଭିଯାନର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ପୂର୍ବରୁ ଚୀନ୍ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରାଇବାରେ ସଫଳ ହୋଇଥିଲା। ମାତ୍ର ଅତି ପତଳା ବାୟୁମଣ୍ଡଳ ଯୋଗୁଁ ମଙ୍ଗଳ ଗ୍ରହ ପୃଷ୍ଠରେ ମହାକାଶ ଯାନ ଅବତରଣ କରାଇବା କଷ୍ଟକର ବ୍ୟାପାର।
ସୂଚନାଯୋଗ୍ୟ, ୧୯୭୬ରୁ ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳ ଗ୍ରହ ପୃଷ୍ଠରେ ୯ ଥର ସଫଳ ଅବତରଣ କରାଇଛି। ୧୯୭୧ରେ ସୋଭିଏତ୍ ଦେଶ ମଧ୍ୟ ମଙ୍ଗଳ ଗ୍ରହରେ ମହାକାଶଯାନ ଅବତରଣ କରାଇଥିଲା। କିନ୍ତୁ, ଅବତରଣ କରିବା ପରେ ପରେ ତାହା ଆଉ ସୂଚନା ପ୍ରସାରଣ ନ କରିବାରୁ ଅଭିଯାନ ବିଫଳ ହୋଇଥିଲା।