ରାଫେଲ ଯୁଦ୍ଧବିମାନକୁ କଂଗ୍ରେସର ସ୍ୱାଗତ, ଆସନ୍ତୁ ଜାଣିବା କ’ଣ ଟ୍ୱିଟ୍‌ କରିଛନ୍ତି ରଣଦୀପ ସୂରଜେୱାଲା

ନୂଆଦିଲ୍ଲୀ ୨୯/୭: ରାଫେଲ ଯୁଦ୍ଧବିମାନ ଆଜି ଭାରତରେ ପହଞ୍ଚିଛି। ପ୍ରଥମ ଦଫାରେ ଆସିଥିବା ୫ଟି ବିମାନକୁ ସୁଖୋଇ-୩୦ ଯୁଦ୍ଧବିମାନ ପାଛୋଟିଆଣିବାକୁ ଯାଇଥିବା ବେଳେ ଅମ୍ବାଲା ବାୟୁସେନା ଘାଟିରେ ନୂଆ ଯୁଦ୍ଧବିମାନମାନଙ୍କୁ ବିପୁଳ ସ୍ୱାଗତ କରାଯାଇଛି।  ବିରୋଧୀ ଦଳ କଂଗ୍ରେସ ମଧ୍ୟ ରାଫେଲକୁ ଦେଶରେ ସ୍ୱାଗତ କରିଥିବା ବେଳେ ଦଳର ମୁଖପାତ୍ର ରଣଦୀପ ସୂରଜେୱାଲା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ସୂରଜେୱାଲା ପ୍ରଥମ ପର୍ଯ୍ୟାୟରେ ଆସିଥିବା ଯୁଦ୍ଧବିମାନଙ୍କୁ ସ୍ୱାଗତ କରିଥିବା ବେଳେ ଏଗୁଡିକୁ ଫ୍ରାନ୍ସରୁ  ଭାରତକୁ ଉଡାଇ ଆଣିଥିବା ବାୟୁସେନାର ଦୁଃସାହାସୀ ପାଇଲଟଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ତେବେ ରାଫେଲ କିଣାର ବିଳମ୍ୱ , ଏହାର ସଂଖ୍ୟା ଓ ମୂଲ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୫୨୬ କୋଟି ଟଙ୍କାର ବିମାନକୁ  ୧୬ଶହ ୭୦ କୋଟି ଟଙ୍କାରେ କାହିଁକି କିଣାଗଲା ସେ ନେଇ ସେ ପ୍ରଶ୍ନ ଉଠାଇଥିବା ବେଳେ ୧୨୬ ବିମାନ ସ୍ଥାନରେ ମାତ୍ର ୩୬ଟି କାହିଁକି ଅଣାଗଲା ବୋଲି ପଚାରିଛନ୍ତି। କେବଳ ଏତିକି ନୁହେଁ ଏହି ବିମାନକୁ ଭାରତ ଆଣିବାରେ କାହିଁ କି ୫ ବର୍ଷ ବିଳମ୍ବିତ କରାଗଲା ବୋଲି ପ୍ରତ୍ୟେକ ଦେଶଭକ୍ତ ଭାରତୀୟଙ୍କର ପ୍ରଶ୍ନ କରିବାର ଅଧିକାର ଅଛି ବୋଲି ସେ ଉଲ୍ଲେଖ କରିଛନ୍ତି।