ଚୀନରେ ବେକାବୁ ହେଲା କରୋନା: ଶ୍ମଶାନରେ ମିଳୁନି ଜାଗା

ବେଜିଂ: ଚୀନରେ ପୁଣି ଥରେ କରୋନା ମହାମାରୀ ତାର ଆତଙ୍କ ଖେଳାଇବା ଆରମ୍ଭ କରିଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । କୋଭିଡ଼ ଗାଇଡ଼ ଲାଇନ କୋହଳ ହେବା ପରେ ପରିସ୍ଥିତି ଅଧିକ ସଙ୍ଗୀନ ରୁପ ଧାରଣ କରିଛି । ନିଜକୁ ବଞ୍ଚାଇବା ପାଇଁ ଲୋକେ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି । ରାସ୍ତାଘାଟ ଶୂନଶାନ ହୋଇ ପଡ଼ିଛି । କୋଭିଡ଼ ନିୟମ କୋହଳ ପରେ ସଂକ୍ରମଣ ହୁ ହୁ ହୋଇ ମାଡ଼ି ଚାଲିଛି ।

ସହରର ବିଭିନ୍ନ ହସ୍ପିଟାଲରେ ହଜାର ହଜାର ରୋଗୀ ଭିଡ଼ ଜମାଉଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶବ ଦାହ ପାଇଁ ଶ୍ମଶାନରେ ଘଣ୍ଟାଘଣ୍ଟା ଲାଇନ ଲଗାଇବାକୁ ପଡ଼ୁଛି । ଚୀନର ମହାମାରୀ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ ଆଗକୁ ଆହୁରି ୩ଟି ଲହର ଚୀନ ଦେଖିବ । ପ୍ରଥମଟି ଡିସେମ୍ବର ୨୫ ପରେ, ଦ୍ୱିତୀୟଟି ନୂଆ ବର୍ଷରେ ଓ ତୃତୀୟଟି ଲୁନାର ନ୍ୟୁଇୟର ପରେ ଆସିବ । ଏହି ସମୟରେ ଦେଶବାସୀ ସତର୍କ ନ ରହିଲେ ସଂକ୍ରମଣ ଦୁଇଗୁଣ ବୃଦ୍ଧି ପାଇବ ବୋଲି ସେ ଚେତାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଚାଇନାର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ରହିଥିବା ସହର ଗୁଡ଼ିକରେ କରୋନା ଗ୍ରାଫ୍ ଉପର ମୁହାଁ ହୋଇଛି । ଲୋକଙ୍କ ବିରୋଧ ପରେ ସରକାର ଜାରି କରିଥିବା କଟକଣା ହଟାଇ ଦେବା ପରେ ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ଶ୍ମଶାନରେ ଦିନ ରାତି ୨୪ ଘଣ୍ଟା ନିଆଁ ଜଳୁଛି । ବେଜିଂର ସବୁଠୁ ବଡ଼ ଶ୍ମଶାନ ବାବୋସାନରେ ପରିସ୍ଥିତି ଭୟଙ୍ଗର ରୂପ ଧାରଣ କରିଛି । ବହୁ ଲୋକ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଆତ୍ମୀୟଙ୍କ ଶବ ଛାଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳୁଛି । ଏନେଇ ସତର୍କ ନ ହେଲେ ଆଗକୁ ପରିସ୍ଥିତି ଭୟାନକ ରୂପ ନେବ ବୋଲି ଏହି ବିଶେଷଜ୍ଞ ଜଣକ ଚେତାଇ ଦେଇଛନ୍ତି ।

SBI AD