ଭୋଜି କରି କରୋନା ବାଣ୍ଟିଲେ

ଝାରସୁଗୁଡ଼ା, ୨୨/୦୬ : କରୋନା କଟକଣା ସତ୍ତ୍ୱେ ବାହାର ରାଜ୍ୟରୁ ଫେରିଥିବା ଗୋଟିଏ ପରିବାର ଜନ୍ମଦିନ ଏବଂ ଅନ୍ୟଏକ ପରିବାର ବିବାହ ବାର୍ଷିକୀ ଉତ୍ସବ ପାଳନ କରି ନିଜ ଘରେ ଲୋକଙ୍କୁ ଠୁଳ କରିଥିଲେ । ସେଠାରୁ ସଂକ୍ରମିତ ହୋଇ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ବ୍ରଜରାଜନଗର ଓପିଏମ୍ କଲୋନୀବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ଉକ୍ତ ଦୁଇ ପରିବବାରର ମୁରବୀଙ୍କ ବିରୋଧରେ ବ୍ରଜରାଜନଗର ଥାନାରେ ଏତଲା ଦେଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ଗତ ୬ ତାରିଖରେ ଗୁରୁଗାଓଁରୁ ଆସି ପ୍ରଶାସନର ଅନୁମତି କ୍ରମେ ଓରିଏଣ୍ଟ ପେପରମିଲ୍ କଲୋନୀରେ ଆବାସିକ ସଙ୍ଗରୋଧରେ ରହୁଥିଲେ । କିନ୍ତୁ ସେ ନିଜଘରେ ପୁଅର ଜନ୍ମଦିନ ପାଟିର ଆୟୋଜନ କରି ବନ୍ଧୁ, ପରିଜନ, ପଡ଼ୋଶୀଙ୍କୁ ଡାକିଥିଲେ । ସେଠାକୁ ଯ।ଇଥିବା ପଡ଼ୋଶୀମାନେ ଅନ୍ୟ ଏକ ବିବାହବାର୍ଷିକୀ ପାର୍ଟିକୁ ମଧ୍ୟ ଯାଇଥିଲେ । ଏହିକ୍ରମରେ ସେଠାରେ ଗୋଟିଏ ଆବର୍ତ୍ତ ସୃଷ୍ଟି ହୋଇଥିଲା । ଗତ ୧୪ ତାରିଖରେ ତାଙ୍କର ସ୍ୱାବ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ତାହା ପଜିଟିଭ୍ ଆସିଥିଲା । ତାଙ୍କର କଣ୍ଟାକ୍ଟ ଟ୍ରେସିଂରେ ୧୫ଜଣଙ୍କ ନାମ ଆସିବାରୁ ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ପରେ ସେହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଉ ୨ଜଣଙ୍କ ମଧ୍ୟ କୋଭିଡ୍ ପଜିଟିଭ୍ ବାହରିଥିଲା । କୋଭିଡ୍ ନିୟମ ଉଲ୍ଲଂଘନ କରି ସେମାନେ ଏହି ସାମାଜିକ ଆୟୋଜନ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ଥାନାରେ ଏଫ୍‌ଆଇଆର୍ ଦିଆଯାଇଛି ।