ନୂଆଦିଲ୍ଲୀ, ୨୨/୦୯ : ଅଯୋଧ୍ୟା ସ୍ଥିତ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ମାମଲାରେ ବଡ଼ ଅପଡେଟ୍ । ଏହି ମାମଲାର ତଦନ୍ତ କରୁଥିବା କୋର୍ଟଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଆସନ୍ତା ସେପ୍ଟେମ୍ବର ୨୫ ତାରିଖ କିମ୍ବା ତା’ ପୂର୍ବରୁ ପ୍ରଥମ ଚାର୍ଜସିଟ୍ ଦାଖଲ କରିବ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ସଲିସିଟର ଜେନେରାଲ ତୁଷାର ମେହେଟା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ପ୍ରଥମ ଗିରଫଦାରୀ ପରଠାରୁ ଆଇନଗତ ଭାବେ ନିର୍ଦ୍ଧାରିତ ୯୦ ଦିନିଆ ସମୟସୀମା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ।
ମେହେଟା ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ଗିରଫଦାରୀ ତାରିଖରୁ ୯୦ ଦିନର ଅବଧି ସେପ୍ଟେମ୍ବର ୨୫ ତାରିଖରେ ପୂରଣ ହେଉଛି। ତେଣୁ ସେହି ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ, ନଚେତ୍ ଅଭିଯୁକ୍ତମାନେ ଡିଫଲ୍ଟ ଜାମିନ ପାଇବାର ହକଦାର ହୋଇଯିବେ । ଏହି ଅବସରରେ ଶୀର୍ଷ ଅଦାଲତ SIT ପକ୍ଷରୁ ଏକ ବନ୍ଦ ଲଫାପାରେ ଦାଖଲ କରାଯାଇଥିବା ବିସ୍ତୃତ ସ୍ଥିତି ରିପୋର୍ଟକୁ ମଧ୍ୟ ଯାଞ୍ଚ କରିଛନ୍ତି । ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୬୭(୨) ଅନୁସାରେ, ଯଦି ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟସୀମା (୬୦ କିମ୍ବା ୯୦ ଦିନ) ଭିତରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୁଏ, ତେବେ ଅଭିଯୁକ୍ତ ସ୍ୱତଃପ୍ରବୃତ୍ତ ଭାବେ ବୈଧାନିକ ବା ଡିଫଲ୍ଟ ଜାମିନ ପାଇବାର ଅଧିକାର ପାଇଥାନ୍ତି । ପୂର୍ବରୁ ସୁପ୍ରିମକୋର୍ଟ SITକୁ ଏହାର ତଦନ୍ତ ଶୀଘ୍ର ଶେଷ କରି ଏକ ତାର୍କିକ ନିଷ୍କର୍ସରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କିତ ସ୍ଥିତି ରିପୋର୍ଟ ସିଲ୍ଡ୍ କଭରରେ ଦାଖଲ କରିବାକୁ କୁହାଯାଇଥିଲା ।