ନୂଆଦିଲ୍ଲୀ, ୩୦/୧୦ : ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଉପରେ ଲଗାମ ଲଗାଇବାକୁ ଟ୍ରାଫିକ୍ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି ସରକାର। ନଭେମ୍ବର ୧, ୨୦୨୬ରୁ ରାଜଧାନୀରେ ଲାଗୁ ହେବ ସଂଶୋଧିତ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP)। ଏହା ଅନୁସାରେ କେତେକ ବର୍ଗର ଗାଡ଼ି ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ। ତେଣୁ ଦିଲ୍ଲୀ ଯିବା ପୂର୍ବରୁ ନିଜ ଗାଡ଼ିର ଯୋଗ୍ୟତା ଯାଞ୍ଚ କରିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦେଇଛି ଦିଲ୍ଲୀ ଟ୍ରାଫିକ୍ ପୋଲିସ।
ଟ୍ରାଫିକ୍ ପୋଲିସର ସୂଚନା ଅନୁସାରେ, BS-VI ମାନଦଣ୍ଡ ପୂରଣ କରୁଥିବା ଗାଡ଼ି, CNG ଓ ଇଲେକ୍ଟ୍ରିକ୍ ଯାନ ସହ ନିୟମ ଅନୁଯାୟୀ ଛାଡ଼ ପାଇଥିବା ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ। ଅନ୍ୟପଟେ BS-VI ମାନଦଣ୍ଡ ପୂରଣ କରୁନଥିବା ଗାଡ଼ି ଏବଂ ବୈଧ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ (PUCC) ସାର୍ଟିଫିକେଟ୍ ନଥିବା ଗାଡ଼ି ଉପରେ କଟକଣା ଲାଗିବ। ନିୟମ ପାଳନ କରୁନଥିବା ଆନ୍ତଃରାଜ୍ୟ ବସ୍ ମଧ୍ୟ ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ।
ସେହିପରି ଦିଲ୍ଲୀକୁ ଗନ୍ତବ୍ୟସ୍ଥଳ ଭାବେ ନେଇନଥିବା ଟ୍ରକ୍ଗୁଡ଼ିକୁ ସହର ଭିତରକୁ ପ୍ରବେଶ ନକରି ପେରିଫେରାଲ୍ ଏକ୍ସପ୍ରେସୱେ ବ୍ୟବହାର କରିବାକୁ ପଡ଼ିବ। ଟ୍ରାକ୍ଟର, ଜୁଗାଡ଼ ଗାଡ଼ି ଏବଂ ନିର୍ଦ୍ଦିଷ୍ଟ ବର୍ଗର ଦିଲ୍ଲୀ ବାହାରେ ପଞ୍ଜୀକୃତ ଗାଡ଼ି ଉପରେ ମଧ୍ୟ କଟକଣା ରହିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର ଯାଞ୍ଚ ମଧ୍ୟ ଜୋରଦାର ହୋଇଛି। ଅକ୍ଟୋବର ୨୭ରେ ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ଉତ୍ତର ରେଞ୍ଜ ଟ୍ରାଫିକ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା। ଏହି ସମୟରେ ନକଲି No Entry Permission (NEP) ବ୍ୟବହାର କରୁଥିବା ତିନୋଟି ବାଣିଜ୍ୟିକ ଗାଡ଼ି ଧରାପଡ଼ିଥିଲା। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୮(୨) ଏବଂ ୩୪୦(୨) ଅନୁଯାୟୀ ତିନୋଟି ଏଫଆଇଆର୍ ରୁଜୁ ହୋଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ‘Poor’ ବର୍ଗକୁ ଖସିବା ପରେ ଅକ୍ଟୋବର ୨୧ରୁ CAQM ପକ୍ଷରୁ GRAPର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଥିଲା। ଏବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ କଟକଣା ସହ ଯାଞ୍ଚକୁ ଆହୁରି କଡ଼ାକଡ଼ି କରିବାକୁ ଯୋଜନା ରହିଛି।