ବାତ୍ୟା ପରେ ବନ୍ୟାର କରାଳ ରୂପ : ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଏବେ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ଘର ଭିତରେ ୧୦ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବେଶ କରିଛି। ଏଭଳି ସ୍ଥିତିରେ ବନ୍ୟାଞ୍ଚଳର ସ୍ଥିତି ପରଖିବାକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଜଳମଗ୍ନ ଗାଁ, ଭାଙ୍ଗିଯାଇଥିବା ରାସ୍ତା ଏବଂ ବିଚ୍ଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାର ଭୟାବହ ଚିତ୍ର ଦେଖିବାକୁ ମିଳିଛି।

ଗଞ୍ଜାମର ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀ ବିପଦ ସଙ୍କେତଠାରୁ ପ୍ରାୟ ୨ ମିଟର ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସୋରଡ଼ା, ଆସିକା, ଭଞ୍ଜନଗର, ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। କେତେକ ସ୍ଥାନରେ ଘର ଭିତରେ ୧୦ ଫୁଟ୍ ପର୍ଯ୍ୟନ୍ତ ପାଣି ପଶିଥିବା ସୂଚନା ମିଳିଛି। ସେହିପରି ଗଜପତି ଜିଲ୍ଲାରେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି।

ଦୁଇ ଜିଲ୍ଲାରେ ୧ ହଜାରରୁ ଅଧିକ ଗାଁ ଜଳମଗ୍ନ ହୋଇଥିବାବେଳେ କେବଳ ଗଞ୍ଜାମରେ ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟବ୍ୟାପୀ ୫୯ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ରେଳ ଯୋଗାଯୋଗ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନା ଓ ତଟରକ୍ଷୀ ବାହିନୀର ହେଲିକପ୍ଟର ମୁତୟନ କରାଯାଇଛି। ତେବେ ତଳୁଆ ମେଘ ଯୋଗୁଁ କେତେକ ସ୍ଥାନରେ ଉ ଦ୍ଧାରକାର୍ଯ୍ୟରେ ବାଧା ଉପୁଜୁଛି।କେତେକ ଅଞ୍ଚଳରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ। ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍ କରାଯାଇଛି।