ନୂଆଦିଲ୍ଲୀ : ଆଜିକାଲି ଦୋକାନରେ ସାମଗ୍ରୀ କିଣାବିକା ଓ ଟଙ୍କା ଦେଣନେଣ ସମୟରେ ଦୁଇଟି କୋଡ୍ର ବହୁଳ ବ୍ୟବହାର ହେଉଛି ବାର୍ କୋଡ୍ ଓ କ୍ୟୁ.ଆର୍. କୋଡ୍ । ଏ ଦୁଇଟି କ’ଣ ଏବଂ ସେମାନଙ୍କ ମଧ୍ୟରେ କ’ଣ ପ୍ରଭେଦ ରହିଛି ଜାଣିବା ଜରୁରୀ। କୌଣସି ସପିଂ ମଲ୍ରେ ବା ବଡ଼ ଦୋକାନରେ ସାମଗ୍ରୀ କିଣିଲା ବେଳେ ଆମେ ଦେଖୁ ଯେ ବିଲ୍ କାଉଣ୍ଟର୍ରେ ଥିବା କର୍ମଚାରୀ ସେହି ସାମଗ୍ରୀ ପ୍ୟାକେଟ୍ ଉପରେ ଥିବା ଏକ ଛବିକୁ ସ୍କାନ୍ର ସାମନାରେ ଦେଖାଇ ଦିଅନ୍ତି। ତା’ପରେ ‘ବିପ୍’ କରି ଶବ୍ଦ ହେବା ସାଙ୍ଗେ ସାଙ୍ଗେ ସାମଗ୍ରୀର ମୂଲ୍ୟ ଆପେ ବିଲିଂ କମ୍ପ୍ୟୁଟରକୁ ଆସିଯାଏ। ପ୍ୟାକେଟ୍ ଉପରେ କଳାଧଳା ଗାର ଥିବା ଏହି ଆୟତାକାର ଛବିଟି ଏକ ବାର୍କୋଡ୍। ଏହା ଏକ ପ୍ରକାରର ୟୁପିସି ବା ୟୁନିଭର୍ସାଲ ପ୍ରଡକ୍ଟ କୋଡ୍। ଏହି କୋଡ୍ ମଧ୍ୟରେ ସାମଗ୍ରୀ ସମ୍ପର୍କରେ ସମସ୍ତ ତଥ୍ୟ, ତାହାର ବ୍ୟାଚ୍ ନମ୍ବର ଓ ବିକ୍ରି ମୂଲ୍ୟ ଆଦି ସାଙ୍କେତିକ ଭାବରେ ଲେଖାଥାଏ, ଯାହାକୁ କୋଡ୍ ରିଡର୍ ପଢ଼ି ଦେଇପାରେ।
ମାତ୍ର ଆଜିକାଲି ୟୁପିଆଇ ମାଧ୍ୟମରେ ଟଙ୍କା ଦେଣନେଣ ବେଳେ ଆମେ ଯେଉଁ କ୍ୟୁ.ଆର୍.କୋଡ୍ ମାଧ୍ୟମରେ ଦୋକାନୀଙ୍କୁ ଟଙ୍କା ଦେଉ, ତାହା ଭିନ୍ନ। ଏହା ଏକ ବର୍ଗାକାର ଗ୍ରୀଡ୍, ଯେଉଁଥିରେ ଧଳା ପୃଷ୍ଠଭୂମିରେ କଳାରଙ୍ଗର ଛୋଟବଡ଼ କୋଠି ବିଚିତ୍ର ଭଙ୍ଗୀରେ ସଜାଇ ହୋଇଥାଏ। ଏହି କୋଡ୍କୁ ‘କ୍ବିକ୍ ରେସ୍ପନ୍ସ କୋଡ୍’ ବା ସଂକ୍ଷେପରେ କ୍ୟୁ.ଆର୍ କୋଡ୍ କୁହାଯାଏ। ଏହାକୁ ପଢ଼ିବା ପାଇଁ କୌଣସି ବିଶେଷ ଧରଣର ସ୍କାନର୍ ଆବଶ୍ୟକ ହୁଏନାହିଁ। ଆଜିକାଲି ଅଧିକାଂଶ ସ୍ମାର୍ଟଫୋନ୍ କ୍ୟାମେରା ଏହି ଛବିକୁ ସ୍କାନ୍ କରି ପଢ଼ି ଦେଇପାରୁଛି। ଏହା ଭିତରେ କିଛି ଡାଟା ଥାଏ ଯାହାକି ସଂପୃକ୍ତ ବିକ୍ରେତାଙ୍କ ବ୍ୟାଙ୍କ୍ଖାତାର ସୂଚନା ବହନ କରେ। ଆମେ ୟୁପିଆଇ ପେମେଣ୍ଟ୍ ପାଇଁ ଉଦ୍ଦିଷ୍ଟ କ୍ୟୁ.ଆର୍.କୋଡ୍କୁ ସ୍ମାର୍ଟଫୋନ୍ ମାଧ୍ୟମରେ ପଢ଼ି ୟୁପିଆଇ ଦ୍ବାରା ଆମ ଖାତାରୁ ଦୋକାନୀଙ୍କ ଖାତାକୁ ଟଙ୍କା ପୈଠ କରିପାରୁ।
ବାର୍ କୋଡ୍ ଓ କ୍ୟୁ. ଆର୍ କୋଡ୍ ମଧ୍ୟରେ ପ୍ରଥମ ପ୍ରଭେଦ ହେଲା, ବାର୍ କୋଡ୍ରେ ସାମଗ୍ରୀର ଦର ଆଦି ତଥ୍ୟ ରହୁଥିବା ବେଳେ କ୍ୟୁ ଆର୍ କୋଡ୍ରେ ଦୋକାନୀଙ୍କ ବ୍ୟାଙ୍କ୍ ଖାତାର ତଥ୍ୟ ଥାଏ। ଆମେ କ୍ୟୁ.ଆର୍ କୋଡ୍କୁ ସ୍କାନ୍ କରି ଦୋକାନୀଙ୍କୁ ଟଙ୍କା ପଇଠକରୁ। ସାମଗ୍ରୀର ଦର ଲେଖା ରହୁଥିବା ବାର୍କୋଡ୍କୁ ଆମ ସ୍ମାର୍ଟଫୋନ୍ କ୍ୟାମେରାରେ ପଢ଼ିବା ସମ୍ଭବ ହୁଏନାହିଁ। ଏହାକୁ ଦୋକାନୀ ତାଙ୍କର ସ୍କାନର୍ ମାଧ୍ୟମରେ ପଢ଼ନ୍ତି।