ନୂଆଦିଲ୍ଲୀ, ୦୨/୦୫ : ଚେନ୍ନାଇ ଓ ମୁମ୍ବାଇ ଆଜି ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜିର ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ୨୩ ଏପ୍ରିଲରେ ଦୁଇ ଦଳ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଚେନ୍ନାଇ ୧୦୩ ରେ ମୁମ୍ବାଇକୁ ପରାସ୍ତ କରିଥିଲା । ଆଇପିଏଲ ଇତିହାସର ଦୁଇ ସଫଳ ଦଳ ପୁନର୍ବାର ଚଳିତ ସିଜିନରେ ମୁହାଁମୁହିଁ ହେବାକୁ ଯାଉଥିବାବେଳେ, ଏକ ରୋମାଞ୍ଚକର ମ୍ୟାଚ ପାଇଁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରେ ଆହତ ସମସ୍ୟା ଲାଗି ରହିଛି, ବିଶେଷ କରି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତା ବଢ଼ାଇଛି । ଅନ୍ୟପଟେ ଦଳର ବ୍ୟାଟିଂ ୟୁନିଟ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି । ସଞ୍ଜୁ ସାମସନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ସେଭଳି ଫର୍ମରେ ନଜର ଆସିନାହାନ୍ତି । କେବଳ ବ୍ୟାଟିଂ ୟୁନିଟ ନୁହେଁ ବରଂ ବୋଲିଂ ୟୁନିଟ ମଧ୍ୟ ସେଭଳି ଆଶା ଅନୁଯାୟୀ ପ୍ରଦର୍ଶନ କରିନାହାନ୍ତି । ଅଂଶୁଲ କାମ୍ବୋଜ ଏକ ମାତ୍ର ବୋଲର ଯିଏକି ଚଳିତ ସିଜିନରେ ଚେନ୍ନାଇ ବୋଲିଂ ୟୁନିଟର ଭାର ଉଠାଇଛନ୍ତି, ସେ ୮ ଟି ମ୍ୟାଚରେ ୧୪ ଟି ୱିକେଟ୍ ନେଇଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଅକିଲ ହୋସେନ ଚମତ୍କାର ବୋଲିଂର ପ୍ରଦର୍ଶନ କରିଥିଲେ ଓ ୪ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେଇଥିଲେ ।
ମୁମ୍ବାଇ ଇଂଡିଆନ୍ସ ଚଳିତ ସିଜିନରେ ଦିଗହରା ନଜର ଆସୁଛି, ଉଭୟ ବ୍ୟାଟିଂ ଓ ବୋଲିଂ ୟୁନିଟର ଖରାପ ପ୍ରଦର୍ଶନ ପାଇଁ ଦଳ ବର୍ତ୍ତମାନ ସୁଦ୍ଧା ମାତ୍ର ୪ ପଏଣ୍ଟ ଅର୍ଜନ କରିଛି । ଅନେକ ସିଜିନରେ କମ୍-ବ୍ୟାକ୍ କରି ପ୍ଲେଅଫରେ ପହଞ୍ଚିବା ସହ ଚାମ୍ପିଅନ ହୋଇଛି ଦଳ । କିନ୍ତୁ ଚଳିତ ସିଜିନରେ ସେଭଳି କିଛି ହେବା ଭଳି ନଜର ଆସୁନାହିଁ । ମୁମ୍ବାଇର ମୁଖ୍ୟ ବୋଲର ଯଶପ୍ରୀତ ବୁମରା ବର୍ତ୍ତମାନ ସୁଦ୍ଧା ୮ ଟି ମ୍ୟାଚରେ ମାତ୍ର ୨ ଟି ୱିକେଟ୍ ନେଇଛନ୍ତି । ଅନ୍ୟପଟେ ମୁମ୍ବାଇର ବ୍ୟାଟିଂ ୟୁନିଟ ମଧ୍ୟ ସଂଘର୍ଷ କରୁଛି । ମୁମ୍ବାଇ ଓ ଚେନ୍ନାଇ ଆଇପିଏଲ ଇତିହାସରେ ୪୦ ଥର ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇ ୨୧ ଥର ଜିତିଥିବାବେଳେ ଚେନ୍ନାଇ ୧୯ ଥର ଜିତିଛି । କିନ୍ତୁ ୨୦୨୩ ପରଠାରୁ ଚେନ୍ନାଇ, ମୁମ୍ବାଇ ଉପରେ ଭାରି ପଡିଛି, ୨୦୨୩ ପରଠାରୁ ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଥିବାବେଳେ ଚେନ୍ନାଇ ୫-୧ ରେ ଆଗୁଆ ରହିଛି ।