ସାମ୍ନାକୁ ଆସିଲା ବୋଟ୍ ଟ୍ରାଜେଡି ବେଳର ଛାତିଥରା ଦୃଶ୍ୟ, ଚିତ୍କାର କରୁଥିଲେ ଲୋକେ ଶୁଣିନଥିଲା ଚାଳକ

ନୂଆଦିଲ୍ଲୀ, ୦୨/୦୫ : ମଧ୍ୟପ୍ରଦେଶ ଜବଳପୁରରେ ଘଟିଥିବା ବୋଟ୍ ଦୁର୍ଘଟଣା ଏବେ ସମଗ୍ର ଦେଶକୁ ଅସ୍ଥିର କରିଦେଇଛି। ଏକ ଭାଇରାଲ୍ ଭିଡିଓରେ ଦେଖାଯାଉଛି, ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ପର୍ଯ୍ୟଟକମାନେ ଜଳାଶୟ ମଝିରେ ହସିଖୁସିରେ ସମୟ କାଟୁଛନ୍ତି। କିନ୍ତୁ ସେମାନେ ଜାଣିନଥିଲେ, ଏହି ଆନନ୍ଦର ମୁହୂର୍ତ୍ତ ତାଙ୍କ ଜୀବନର ଶେଷ ସ୍ମୃତି ପାଲଟିବ। ୪୩ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ବୋଟ୍ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ହଠାତ୍ ଆସିଥିବା ଭୟଙ୍କର ଝଡ଼ରେ ପଡ଼ି ଓଲଟିଯାଇଥିଲା। ପବନର ବେଗ ୬୦ ରୁ ୭୦ କିଲୋମିଟର ପ୍ରତି ଘଣ୍ଟା ଥିବାରୁ ଜଳାଶୟରେ ତରଙ୍ଗ ବହୁତ ତୀବ୍ର ହୋଇଯାଇଥିଲା। ଏହି ଅସ୍ଥିର ପରିସ୍ଥିତିରେ ବୋଟ୍ ନିୟନ୍ତ୍ରଣ ହରାଇ ମଝିପାଣିରେ ଓଲଟିଯାଇଥିବା କୁହାଯାଉଛି।

ତେବେ ବଞ୍ଚିଥିବା ଯାତ୍ରୀମାନେ କହିଛନ୍ତି, ପବନ ଜୋର ହେଉଥିବା ବେଳେ ସେମାନେ ବୋଟ୍ ଫେରାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ଚାଳକ ସେଥିରେ କୌଣସି ଧ୍ୟାନ ଦେଇନଥିଲେ। ଅବସ୍ଥା ଗୁରୁତର ହେବା ପରେ ବୋଟ୍ ଭିତରେ ପାଣି ପଶି ଏହା ବୁଡ଼ିବାକୁ ଲାଗିଲା ଏବଂ ଏହା ପରେ ଯାଇ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍ ବଣ୍ଟନ କରାଯାଇଥିଲା। ଏହି ଅବହେଳା ଦୁର୍ଘଟଣାକୁ ଆହୁରି ଭୟାବହ କରିଥିବା ଅଭିଯୋଗ ଉଠିଛି। ଏହି ଘଟଣାରେ ଅନେକ ଲୋକ ଜୀବନ ହାରାଇଥିବା ବେଳେ ଏବେ ବି କିଛି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏହି ଦୁର୍ଘଟଣା ପୁନର୍ବାର ପ୍ରଶ୍ନ ଉଠାଇଛି, ଜଳଯାତ୍ରା ବେଳେ ସୁରକ୍ଷା ବ୍ୟବସ୍ଥା କାହିଁକି ସଠିକ ଭାବେ ପାଳନ ହେଉନି?

ଜବଲପୁର ବୋଟ୍ ଦୁର୍ଘଟଣାର ଶେଷ ଭିଡିଓରେ, ପବନର ତୀବ୍ରତା ସ୍ପଷ୍ଟ ଭାବରେ ଦେଖିହେବ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ରେକର୍ଡିଂ ସମୟରେ, କୌଣସି ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାର ଦେଖାଯାଉନାହିଁ। ପାଗ ଖରାପ ହୋଇଗଲା ଏବଂ କିଛି ମିନିଟ୍ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା, ଯାହା ଫଳରେ ଡଙ୍ଗାଟି ଓଲଟି ପଡ଼ିଲା ଏବଂ ସେଥିରେ ଥିବା ନଅ ଜଣଙ୍କର ମୃତ୍ୟୁ ହେଲା। ଏକ ଖୁସିର ଭ୍ରମଣ କେମିତି ମୁହୂର୍ତ୍ତରେ ମୃତ୍ୟୁର ଦୁଃଖଦ କାହାଣୀ ହେଲା, ତାହାର ଜୀବନ୍ତ ଦୃଶ୍ୟ ଏହି ଘଟଣା ଦେଖାଇଦେଇଛି।